Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶିଳପୁଆରେ ଛେଚି ପତ୍ନୀ ସମେତ 7 ଜଣଙ୍କୁ ହତ୍ୟା

    Share on :
    ajab-Image
    Date: Nov 6, 2026    Views: 2289

    ବେଙ୍ଗାଲୁରୁ: ନୃଶଂସ ସାଜିଲା କ୍ୟାବ ଡ୍ରାଇଭର । ଶିଳପୁଆ ପଥରରେ ଛେଚି ନିଜ ପତ୍ନୀ ସହ ପରିବାରର ମୋଟ 7 ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହି ଘଟଣା ଦୁଇ ଦିନ ପୂର୍ବେ ଘଟିଥିବା ବେଳେ ଅଭିଯୁକ୍ତ କ୍ୟାବ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ବେଙ୍ଗାଲୁରୁରୁ ଏଭଳି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ।
    ବେଙ୍ଗାଲୁରୁ ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ କ୍ୟାବ ଡ୍ରାଇଭର ଇନ୍ଦୁଶେଖର ପ୍ରାୟ 20 ବର୍ଷ ପୂର୍ବେ ଶ୍ରୀରାମପୁରର ସୁନିତାଙ୍କୁ ବିବାହ କରିଥିଲେ । ଏହି ଦମ୍ପତି ରାଜାଜିନଗରର ଭାଷ୍ୟମ ସର୍କଲ ନିକଟରେ ରହୁଥିଲେ । ବିବାହ ପରେ ସେମାନଙ୍କ ବୈବାହିକ ଜୀବନ ସ୍ୱାଭାବିକ ଥିଲା, ମାତ୍ର ଗତ କିଛି ବର୍ଷ ହେବ ଘରୋଇ ବିଷୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ନିଜ ପତ୍ନୀଙ୍କ ସହ ପ୍ରାୟତଃ ଝଗଡ଼ା କରୁଥିଲେ । ପରିବାରର ବୟସ୍କ ସଦସ୍ୟମାନେ ମଧ୍ୟସ୍ଥତା କରି ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସୁନିତାଙ୍କର ନିଜ ମାଆ ଏବଂ ଭାଇମାନଙ୍କ ସହ ଥିବା ସମ୍ପର୍କକୁ ଇନ୍ଦୁଶେଖର ପସନ୍ଦ କରୁନଥିଲେ । ସେ ସୁନିତାଙ୍କୁ ତାଙ୍କ ବାପଘରକୁ ଯିବା ପାଇଁ ମଧ୍ୟ ବାରଣ କରୁଥିଲେ । ସ୍ବାମୀ ବାରମ୍ବାର ମନା କରିବା ସତ୍ତ୍ବେ ସୁନିତା ନିଜ ବାପଘର ଲୋକଙ୍କ ସହ ସମ୍ପର୍କ ରଖିଥିଲେ । ଏଥିରେ କ୍ରୋଧିତ ହୋଇ ଇନ୍ଦୁଶେଖର ନିଜ ଜୀବନର ସମସ୍ୟା ପାଇଁ ସୁନିତାଙ୍କ ପରିବାରକୁ ଦାୟୀ କରିବା ସହ ସେମାନଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ ।
    ଅଭିଯୁକ୍ତ ଇନ୍ଦୁଶେଖର ପ୍ରଥମେ ନିଜ ପତ୍ନୀ ସୁନିତାଙ୍କ ମୁଣ୍ଡକୁ ଶିଳପୁଆ ପଥରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲା । ଏହା ପରେ ସେ ମୃତଦେହକୁ ଏକ କାରରେ ନେଇ ନନ୍ଦି ପାହାଡରେ ଫିଙ୍ଗି ଦେଇଥିଲା । ସୁନିତା ନିଖୋଜ ହେବା ନେଇ କାହାର ସନ୍ଦେହ ନ ହେଉ, ସେଥିପାଇଁ ସେ ପଡ଼ୋଶୀମାନଙ୍କୁ ମିଛ କହିଥିଲେ ଯେ, ସୁନିତା ତାଙ୍କ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଛନ୍ତି । ପରେ, ସେ ସୁନିତାଙ୍କ ମୋବାଇଲ୍ ଫୋନ୍ ସ୍ବିଚ୍‌-ଅଫ୍‌ କରିଦେଇଥିଲେ ।
    ନିଜ ଯୋଜନା ମୁତାବକ, ପରେ ଅଭିଯୁକ୍ତ ଜଣଙ୍କ ନିଜ ପତ୍ନୀଙ୍କ ଭାଇ ଶିବକୁମାର ଏବଂ ଶଙ୍କରଙ୍କୁ ନିଜ ଘରକୁ ଡାକିଥିଲେ । ସେଠାରେ ସେମାନେ ମିଶି ଏକାଠି ବସି ମଦ୍ୟପାନ କରିଥିଲେ । ପରେ ଏକ ଶିଳପୁଆ ପଥର ସାହାଯ୍ୟରେ ଆକ୍ରମଣ କରି ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲା ଅଭିଯୁକ୍ତ । ପରେ ଅଭିଯୁକ୍ତ ଇନ୍ଦୁଶେଖର ନଳିନୀ (ଶଙ୍କରଙ୍କ ପତ୍ନୀ) ଏବଂ ଦିବ୍ୟା (ଶିବକୁମାରଙ୍କ ପତ୍ନୀ)ଙ୍କୁ ମଧ୍ୟ ହତ୍ୟା କରିଥିବାର ଅଭିଯୋଗ ରହିଛି । ଏହା ବ୍ୟତୀତ, ଅଭିଯୁକ୍ତ ନିଜ ଶାଶୁ ରୂପାବତୀ ଏବଂ ଶଙ୍କରଙ୍କ ପୁଅ ପୁନୀତଙ୍କୁ ମଧ୍ୟ ହତ୍ୟା କରିଥିଲା । ପରେ, ସେ ମୃତଦେହ ଗୁଡ଼ିକୁ ଗୋଟିଏ ସ୍ଥାନରେ ନ ରଖି ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଫିଙ୍ଗି ଦେଇଥିଲା । ହତ୍ୟା କରିବା ପରେ ଘରୁ ରକ୍ତ ଦାଗ ସଫା କରିଦେଇଥିଲା ଅଭିଯୁକ୍ତ । ହତ୍ୟାରେ ବ୍ୟବହାର କରିଥିବା ପଥରଟିକୁ କେମିକାଲ ପଦାର୍ଥ ବ୍ୟବହାର କରି ସଫା କରିଦେଇଥିଲା ।

    ଏନେଇ ନଳିନୀଙ୍କ ମା’ ତାଙ୍କ ଝିଅ ଓ ଜ୍ବାଇଁ ନିଖୋଜ ଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ, ଏହି ହତ୍ୟାକାଣ୍ଡର ଭୟଙ୍କର ସତ୍ୟ ସାମ୍ନାକୁ ଆସିଥିଲା । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅପରାଧରେ ମୃତଦେହ ବ୍ୟବହୃତ କାର୍‌କୁ ଜବତ କରାଯାଇଛି ।

    ଅଭିଯୁକ୍ତ ଇନ୍ଦୁଶେଖରକୁ ପଚରାଉଚରା କରିବା ବେଳେ ମିଳିଥିବା ସୂଚନା ଆଧାରରେ, ପୋଲିସ ତାକୁ ନେଇ ନନ୍ଦି ପାହାଡ଼ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଥିଲା । ଘଣ୍ଟା ଘଣ୍ଟା ଧରି ଖୋଜିବା ପରେ ଶଙ୍କରଙ୍କ ପୁଅ ପୁନୀତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଛଅ ଜଣଙ୍କ ମୃତଦେହ ଖୋଜି ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହ ଖୋଜି ବାହାର କରିବା ପାଇଁ ଉତ୍ତାରଞ୍ଚଳର ତିନିଜଣ ସହକାରୀ ପୋଲିସ କମିଶନର (ACP)ଙ୍କୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ହତ୍ୟାକାଣ୍ଡର ଘଟଣାସ୍ଥଳ, ମୃତଦେହ ନିଆଯାଇଥିବା ରାସ୍ତାରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook