ମୁଖ୍ୟ ଖବର
ପାଟଣା: କେନ୍ଦୁଝର ପାଟଣା ଥାନା ଅଞ୍ଚଳରେ ଗର୍ଜିଲା ଅପରାଧୀଙ୍କ ବନ୍ଧୁକ। ଜଣେ ବ୍ୟବସାୟୀଙ୍କୁ ଗୁଳିମାରି ହତ୍ୟା କରିଲେ ଦୁର୍ବୃତ୍ତ। ମୃତକ ହେଲେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖଜିରାପଶି ଗ୍ରାମର ତ୍ରିଲୋଚନ ମହାନ୍ତ। ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବସାୟୀକ କିମ୍ବା ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ସୋମବାର ରାତିରେ ତ୍ରିଲୋଚନ କେନ୍ଦେଇପଶି ବଜାରରେ ଥିବା ଜନସେବା କେନ୍ଦ୍ର ଓ ମିନି ବ୍ୟାଙ୍କ ବନ୍ଦ କରି ଗତରାତିରେ ପାଟଣା ଥାନା କ୍ୱାଟର୍ସକୁ ଫେରୁଥିଲେ। ଏହି ସମୟରେ କେନ୍ଦେଇପଶି ହନୁମାନ ଛକ ଓ ଭିମାପଡ଼ା ପୋଲ ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପ୍ରାୟ ୭ ରାଉଣ୍ଡ ଗୁଳି ଚଳାଇଥିଲେ।ଗୁଳିମାଡ଼ରେ ତ୍ରିଲୋଚନ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ପାଟଣା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟଲୋକ କହିବା ଅନୁଯାୟୀ, ଲୁଟ୍ ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ପରିଚୟ ଓ ଗୁଳିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
Comments ସମସ୍ତ ମତାମତ