Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ବାମୀ

    Share on :
    ajab-Image
    Date: Sep 6, 2026    Views: 2444

    ଜଗତସିଂହପୁର: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବୀଭତ୍ସ ଭାବେ ହତ୍ୟା କଲା ସ୍ବାମୀ । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜଂକୋଟି ଅଞ୍ଚଳରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦିଗମ୍ବର ସ୍ୱାଇଁଙ୍କ ପତ୍ନୀ ପୁଷ୍ପଲତା ସ୍ବାଇଁ । ତେବେ ହତ୍ୟା ପରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗାଁ ଲୋକେ । ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ।
    ଜଗତସିଂହପୁର ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତକାଲି (ଶନିବାର) ବିଳମ୍ବିତ ରାତ୍ରିରେ ସ୍ୱାମୀ ନିଶା ଖାଇ ଘରକୁ ଫେରିବା ପରେ ସ୍ତ୍ରୀ ପୁଷ୍ପଲତାକୁ ଗାଳି ଗୁଲଜ କରିବା ସହ ଚରିତ୍ରକୁ ନେଇ ଆକ୍ଷେପ କରିଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଉଗ୍ରରୂପ ନେବାରୁ ଅଭିଯୁକ୍ତ ସ୍ୱାମୀ ଦିଗମ୍ବର ହଠାତ୍‌ ଏକ ଲୁହାରଡ ନେଇ ସ୍ତ୍ରୀ ପୁଷ୍ପଲତାଙ୍କ ତଣ୍ଟିରେ ପୁରାଇ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସ୍ତ୍ରୀ ପ୍ରାଣ ହରାଇଥିବା ଦେଖି ଅଭିଯୁକ୍ତ ଦିଗମ୍ବର ସ୍ୱାଇଁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ ।

    ଜଗତସିଂହପୁର ପୋଲିସ ଦେଇଥିବା ସୂଚନା ଅନୁସାରେ, ଜଗତସିଂହପୁର ସହର ଉପକଣ୍ଠ ଜଂକୋଟି ଅଞ୍ଚଳରେ ଦିଗମ୍ବର ସ୍ୱାଇଁ ତାଙ୍କ ପତ୍ନୀ ଓ 7 ବର୍ଷର ପୁଅ ରହିଆସୁଥିଲେ । ସ୍ୱାମୀ ଦିଗମ୍ବର ସ୍ତ୍ରୀର ଚରିତ୍ରକୁ ନେଇ ବାରମ୍ବାର ସନ୍ଦେହ କରି ଆସୁଥିଲେ । ଏପରିକି ସ୍ତ୍ରୀର ଚରିତ୍ରକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଉଭୟଙ୍କ ମଧ୍ୟରେ କଳିର ସମାଧାନ କରି ଚଳିବାକୁ ପରାମର୍ଶ ଦେଇ ଆସୁଥିଲେ ।
    ତେବେ ପୋଲିସ ବିଳମ୍ବିତ ରାତ୍ରି 1ଟାରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି ଇଟିଭି ଭାରତକୁ SDPO ଦିବ୍ୟରଞ୍ଜନ ନାଥ ଫୋନ ଯୋଗେ ସୂଚନା ଦେଇଛନ୍ତି । ତେବେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଥିବା ପୋଲିସ କହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook