Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୋ ରୁମ୍ ମାଲିକାଣୀଙ୍କୁ ହତ୍ୟା, ସ୍ୱାମୀ ଗିରଫ

    Share on :
    ajab-Image
    Date: Aug 24, 2026    Views: 3341

    କେନ୍ଦୁଝର: ଅର୍ଚ୍ଚନା ଟ୍ରେଡର୍ସର ମାଲିକାଣୀକୁ ହତ୍ୟା । ମୃତଦେହ ଦୋକାନ ଘର ବିଶ୍ରାମ ଗୃହର ଚଟାଣରୁ ଉଦ୍ଧାର  । ଘଟଣାସ୍ଥଳରୁ ଏକ ସୁଇସାଇଟ୍ ନୋଟ ମଧ୍ୟ ଜବତ । ପୁଲିସ ଏହି ଘଟଣାରେ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡାକୁ ଗିରଫ କରିଛି । ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟକୁ ପୁଲିସ ଜବତ କରି ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଇଛି । 
    ସୂଚନା ଅନୁସାରେ ,କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଟୁରୁ ଠାରେ କୃଷି ଯନ୍ତ୍ରପାତି, ଇଭି ସ୍କୁଟି ବିକ୍ରି ହେଉଥିବା ସୋ ରୁମ୍ ପରିସରରେ ଏକ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ପୁଲିସକୁ ସ୍ୱାମୀ ଅଭିମନ୍ୟୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚିବା ବେଳକୁ ମୃତଦେହ ଚଟାଣରେ ପଡି ରହିଥିଲା । ମୃତକ ଜଣଙ୍କ ହେଉଛନ୍ତି ଦୋକାନର ମାଲିକାଣୀ ଅର୍ଚ୍ଚନା ପରିଡା । ବୟସ ୩୨ ବର୍ଷ ।  ତେବେ ପାରିପାଶ୍ୱର୍କ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଅର୍ଚ୍ଚନାଙ୍କ ମୁଣ୍ଡରେ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଛି ଏବଂ ଡାହାଣ ଗୋଡ ବୁଢା ଆଙ୍ଗୁଠି, ନାକ ଓ କାନରୁ ରକ୍ତ ବାହାରିଥିବା ଦେଖାଯାଇଥିଲା । ଏଥିସହ ଛାତିର ବାମପଟରେ ରାମ୍ପୁଡା ଚିହ୍ନ ରହିଥିଲା । ବିଭିନ୍ନ ତଥ୍ୟକୁ ନେଇ ପୁଲିସ ଯାଞ୍ଚ କରୁଛି । 
    ସୂଚନା ଅନୁଯାୟୀ, ଅଭିମନ୍ୟୁ କେନ୍ଦୁଝର ସଦର ଥାନା ହାଣ୍ଡିଭଙ୍ଗା ଗ୍ରାମର ହୋଇଥିବା ବେଳେ ସେ ୨୦୧୪ ମସିହାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ରସମତଳା ଗ୍ରାମ ବାସିନ୍ଦା ଅର୍ଚ୍ଚନାଙ୍କୁ ବିବାହ କରିଥିଲେ । ବିବାହ ପରେ ଅର୍ଚ୍ଚନା ପରିବାର ସହିତ ବଣିଆପାଟ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଉଭୟଙ୍କର ୧୧ବର୍ଷର ଝିଅ ଓ ୬ବର୍ଷର ପୁଅ ଅଛନ୍ତି । ତେବେ ୨ ପୁଅଙ୍କ ବୟାନ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଅର୍ଚ୍ଚନା ବଣିଆପାଟ ଘରୁ ଦୋକାନକୁ ଆସି ଆଉ ଫେରିନାହାନ୍ତି । ଅନ୍ୟପଟେ ଅଭିମନ୍ୟୁ ଯୌତୁକ ଦାବି କରି ବାରମ୍ବାର ଅର୍ଚ୍ଚନାକୁ ମାଡ଼ ମାରୁଥିବା ଭାଇ ଅଜୟ କୁମାର ବାରିକ ଅଭିଯୋଗ କରିଛନ୍ତି । ତାଙ୍କ ଭଉଣୀକୁ ହତ୍ୟା କରି ପ୍ରମାଣକୁ ନଷ୍ଟ କରିବାକୁ ଅଭିମନ୍ୟୁ ଉଦ୍ୟମ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି । ଏତଲା ପାଇବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ କରାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ମହିଳାଙ୍କ ପରିବାର ଲୋକକୁ ହସ୍ତାନ୍ତର କରାଯାଇଛି । ସୁଇସାଇଟ୍ ନୋଟ୍ ରେ ତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଦାୟୀ ନୁହେଁ ବୋଲି ଲେଖା ଯାଇଛି । ଲେଖା ଯାଇଥିବା ହସ୍ତାକ୍ଷର ପୁଲିସର ସନ୍ଦେହକୁ ବଢ଼ାଇ ଦେଇଛି । ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ପୁଲିସ ପ୍ରମାଣକୁ ସଂଗ୍ରହ କରିଥିବା ଜଣାପଡିଛି ।  ଅଭିମନ୍ୟୁ ପରିଡାକୁ ଧରି ପୁଲିସ ଘଟଣାସ୍ଥଳକୁ ନେଇ ତଦନ୍ତ କରିବା ସମୟରେ ମୃତକଙ୍କ ପରିବାର ଲୋକଙ୍କ ସହ ପ୍ରବଳ ପାଟିତୁଣ୍ଡ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିନେଇ ଟାଉନ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି । ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook