ମୁଖ୍ୟ ଖବର
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଅନ୍ତର୍ଗତ ଡକେଇପାଳ ଗାଁରେ ଏକ ବନ୍ଦ ଘର ଭିତରୁ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ମିଳିଛି । ଘର ଭିତରେ ମାଆ ଓ ଝିଅଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ମୃତକମାନେ ହେଲେ ଚୈତନ୍ୟ ଟୁଡୁଙ୍କ ପତ୍ନୀ ସୀତାମଣି ଟୁଡୁ (୩୦) ଓ ତାଙ୍କ ୮ ବର୍ଷିଆ ଝିଅ ଜବାମଣି ଟୁଡୁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି । ପୋଲିସ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଚୈତନ୍ୟ ଟୁଡୁ ଗତକାଲି (ଶନିବାର) ସକାଳ ପ୍ରାୟ ୧୦ଟାରେ ତାଙ୍କ ଘରୁ ବାହାରକୁ ଯାଇଥିଲେ । ସେ ଅପରାହ୍ନ ୨ଟାରେ ଘରକୁ ଫେରି ଦେଖିଥିଲେ ଯେ ତାଙ୍କ ଘର ବନ୍ଦ ଅଛି । ବାରମ୍ବାର ଡାକିବା ପରେ ମଧ୍ୟ ଭିତରୁ କୌଣସି ଉତ୍ତର ମିଳି ନଥିଲା । ସନ୍ଦେହ ହେବାରୁ ଚୈତନ୍ୟ ଘରର ଛାତ ଦେଇ ଚଢ଼ି ଦେଖିଥିଲେ ଯେ, ତାଙ୍କ ସ୍ତ୍ରୀ ଏବଂ ଝିଅ ଉଭୟ ଘର ଭିତରେ ମୃତ ଅବସ୍ଥାରେ ପଡିଥିଲେ । ପତ୍ନୀ ଓ ଝିଅର ବେକ କଟା ହୋଇଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଗାଁ ଲୋକଙ୍କ ସହିତ ମହୁଲଡିହା ଥାନା ପୋଲିସକୁ ମଧ୍ୟ ଜଣାଇଥିଲେ ଚୈତନ୍ୟ ।
ଚୈତନ୍ୟ ଟୁଡୁ କହିଛନ୍ତି, "ମୁଁ ବାହାରକୁ ଯାଇଥିଲି । ଘରକୁ ଫେରି ଦେଖିଲି ଯେ ଘରର ଭିତର ପାର୍ଶ୍ବରୁ ବନ୍ଦ ଥିଲା । ସିଢ଼ି ପକାଇ ଭିତରକୁ ଯାଇ ଦେଖିଲି ଯେ, ମୋ ପତ୍ନୀ ଓ ଝିଅର ମୃତଦେହ ଘର ଭିତରେ ପଡ଼ିଛି । ତାଙ୍କୁ କେହି ହତ୍ଯା କରିଛି ।"
ସେପଟେ ଖବର ପାଇ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, କରଞ୍ଜିଆ ଏସଡିପିଓ ନବକୃଷ୍ଣ ନାଏକ, ମହୁଲଡିହା ଥାନା ଅଧିକାରୀ ତୁଷାର ନାଏକ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଭିନ୍ନ ଦିଗରୁ ଘଟଣାର ଛାନଭିନ ଆରମ୍ଭ କରିବା ସହ ଅଧିକ ତଦନ୍ତ ପାଇଁ ଆଜି ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମର ତଦନ୍ତ ପରେ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲ ଅଣାଯିବ ବୋଲି ସୂଚନା ମିଳିଛି । ତେବେ କିଏ ଓ କେଉଁ କାରଣରୁ ଉଭୟଙ୍କୁ ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା କହିଛନ୍ତି, "ଗତକାଲି ଦିନ ପାଖାପାଖି ୨ଟା ସମୟରେ ଘଟଣା ବିଷୟରେ ଅବଗତ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଘଟଣାର ତଦନ୍ତ ଆରମ୍ଭ କରିଥିଲୁ । ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଆଜି ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛି । ମହୁଲଡିହା ଥାନା ପୋଲିସ କେସ ନଂ ୧୦୨/୨୬ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଚୈତନ୍ୟ ଟୁଡୁଙ୍କୁ ଅଧିକ ପଚରାଉଚରା ଜାରି ରହିଛି । କିଏ, କାହିଁକି ଓ କେଉଁ କାରଣରୁ ଉଭୟଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଯିବ ।"
Comments ସମସ୍ତ ମତାମତ