ମୁଖ୍ୟ ଖବର
ଅମରପାଲି : ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ସୁମନ୍ତ ରଣା(୩୯)। ହତ୍ୟାକାଣ୍ଡ ପରେ ୨ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁସାରେ ପିତାମହୁଲ ଗ୍ରାମର ସୁମନ୍ତଙ୍କ ସହିତ ପ୍ରାଣବନ୍ଧୁ ସାହୁ (୩୯) ଓ ପିଙ୍କୁ ଜେନା(୩୫)ଙ୍କ କୌଣସି କାରଣକୁ ନେଇ ପୂର୍ବଶତ୍ରୁତା ଥିଲା। ବୁଧବାର ରାତ୍ରିରେ ସୁମନ୍ତ ଗାଁ ଦାଣ୍ଡରେ କେତେକ ଯୁବକଙ୍କ ସହିତ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ପ୍ରାଣବନ୍ଧୁ ଓ ପିଙ୍କୁ ସେଠାରେ ପହଞ୍ଚି ସୁମନ୍ତଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ।
ଖବରପାଇ ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତକଙ୍କ ବଡ଼ ଭାଇଙ୍କ ଅଭିଯୋଗ ଆଧାରରେ ସୁବଳୟା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛନ୍ତି ।
Comments ସମସ୍ତ ମତାମତ