ମୁଖ୍ୟ ଖବର
ଉଦଳା: ପ୍ରତ୍ୟକ୍ଷଦର୍ଶୀଙ୍କୁ ଗାଁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ବାଡ଼େଇ ମାରିଲେ ୫ ଯୁବକ। ଖୁଣ୍ଟା ଥାନା ଗଡିଗାଁ ଗ୍ରାମର ଘଟଣା। ମୃତକ ଉକ୍ତ ଗ୍ରାମର କାହ୍ନୁ ମଢେଇ। ଏକ ହତ୍ୟାକାଣ୍ଡ ଘଟଣାରେ କାହ୍ନୁ ଥିଲେ ପ୍ରତ୍ୟକ୍ଷଦର୍ଶୀ। କୋର୍ଟରେ ସାକ୍ଷୀ ଦେବାରୁ ପିଟିପିଟି ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ। ଖୁଣ୍ଟା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଥାନାରେ ଅଟକ।
ପୂର୍ବ ଘଟଣାରେ ଥିଲେ ପ୍ରତ୍ୟକ୍ଷଦର୍ଶୀ। ଆଉ ଘଟଣାରେ ସାକ୍ଷୀ ଦେବାକୁ ଯାଇ ଫେରିବା ପରେ ଆରମ୍ଭ ହେଲା ଝଗଡା। ଆଉ ଝଗଡାରୁ ଯୁବକଙ୍କୁ ଗାଁରେ ଗୋଡ଼େଇ ଗୋଡ଼େଇ ବାଡ଼େଇ ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଗଡିଗାଁ ଗ୍ରାମରେ। ଗତ ନଭେମ୍ବର ମାସରେ ଧାନଘେରା ଗ୍ରାମରେ ରାତିରେ ଗ୍ୟାସ ସିଲିଣ୍ଡର ଚୋରି କରୁଥିବା ବେଳେ ଗ୍ରାମବାସୀମାନେ ଗଡିଗାଁ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢେଇଙ୍କୁ ଧରିବା ସହିତ ଉଭୟଙ୍କୁ ମାଡ଼ ମାରିଥିଲେ। ନିର୍ଘାତ ମାଡ଼ ମାରିବା ପରେ ବାପି କୋହ୍ଲାରର ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ପୁଲିସ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟା ମାମଲାରେ କୋର୍ଟ ଚାଲାଣ କରିଥିବା ବେଳେ କାହ୍ନୁ ମଢେଇଙ୍କୁ ଚୋରି ମାମଲାରେ ଜେଲ ପଠାଇଥିଲା। କାହ୍ନୁ ଜେଲରୁ ଜାମିନରେ ଆସିବା ପରେ ତାର ସାଥୀ ବାପି କୋହ୍ଲାର ହତ୍ୟା ଘଟଣାରେ ସିଏ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଗତକାଲି ଉକ୍ତ ଘଟଣାରେ ସାକ୍ଷୀ ଦେବାକୁ କୋର୍ଟ ଯାଇଥିବା ବେଳେ ସେଠାରୁ ଫେରିବା ପରେ ହତ୍ୟା ଘଟଣାରେ ଜେଲରେ ଥିବା ଆସାମୀଙ୍କ ସମ୍ପର୍କୀୟଙ୍କ ସହିତ ଗ୍ରାମରେ ଝଗଡା ହୋଇଥିଲା।ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ୫ ଜଣ ଯୁବକ କାହ୍ନୁଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କାହ୍ନୁ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିବା ବେଳେ ଯୁବକମାନେ ମଧ୍ୟ ସେହି ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଏବଂ ବାହାରକୁ ଟାଣି ଆଣି ମାରି ଦେଇଥିଲେ। ଖବର ପାଇ ଖୁଣ୍ଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି।
Comments ସମସ୍ତ ମତାମତ