ମୁଖ୍ୟ ଖବର
ପୁରୀ: ପୁରୀରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସା ଓ କଥା କଟାକଟିକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଅଞ୍ଚଳର ରଞ୍ଜନ କୁମାର ଦାସ। ସେହିପରି ଆହତ ଜଣଙ୍କ ହେଉଛନ୍ତି ମାନସ ରଞ୍ଜନ ନାୟକ। ଏହି ଘଟଣା ପୁରୀରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ପୁରୀକୁ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଭକ୍ତ ଓ ପର୍ୟ୍ୟଟକ ଆସୁଥିବା ବେଳେ ସମୁଦ୍ରକୂଳ ପରି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହତ୍ୟା ଘଟଣା ପୋଲିସର କାର୍ୟ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ବନ୍ତ ଥାନା ଅନ୍ତର୍ଗତ ଆପଣ୍ଡା ଗ୍ରାମର ଜଣେ ମହିଳା ଯିଏ ରଞ୍ଜନଙ୍କ ସମ୍ପର୍କୀୟ ଆଈ ହେବେ। ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ତାଙ୍କର ଶବ ସତ୍କାର କରିବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ସହ ରଞ୍ଜନ ତାଙ୍କ ସହ ପୁରୀ ଆସିଥିଲେ। ତେବେ ରଞ୍ଜନ ଓ ଅନ୍ୟମାନେ ଶବ ସତ୍କାର କରି ସ୍ବର୍ଗଦ୍ୱାର ବାହାରକୁ ଆସିଥିବାବେଳେ ଚୈତନ୍ୟ ଛକ ନିକଟରେ କୌଣସି ଘଟଣାକୁ ନେଇ ପୁରୀର ଜଣେ ଯୁବକଙ୍କ ସହ ଜଣେ ବ୍ୟକ୍ତିଙ୍କ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ୟକ୍ତି ଜଣଙ୍କ ରଞ୍ଜନଙ୍କ ବେକରେ ଛୁରି ଭୁସି ହତ୍ୟା କରିଥିବାବେଳେ ମାନସ ଗୁରୁତର ହୋଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ରଖି ପଚରାଉଚରା କରୁଥିବା ବେଳେ ଶବ ବ୍ୟବଚ୍ଚେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।
Comments ସମସ୍ତ ମତାମତ