ମୁଖ୍ୟ ଖବର
ଭବାନୀପାଟଣା/ଧର୍ମଗଡ଼: ତେଲଙ୍ଗାନାରେ ଦାଦନ ଖଟୁଥିବା ଜଣେ ୧୯ ବର୍ଷୀୟା ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ମୃତକ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳର । ଏହି ନୃଶଂସକାଣ୍ଡକୁ ଚପାଇ ଦେବାକୁ ଉଦ୍ୟମ ହେଉଛି । ଠିକାଦାର ପରିବାର ଉପରେ ପ୍ରବଳ ଚାପ ପକାଉଛନ୍ତି । ସେଠାକାର ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।
ଯୁବତୀ ଏବଂ ତାଙ୍କ ମା’ବାପା, ଭାଇ କିଛି ମାସ ତଳେ ଦାଦନ ଖଟିବାକୁ ତେଲଙ୍ଗାନା ଯାଇଥିଲେ । ଖମନ ପ୍ରକାଶ ନଗରସ୍ଥିତ ଜଣେ ଠିକାଦାରଙ୍କ ଇଟାଭାଟିରେ କାମ କରୁଥିଲେ। ଯୁବତୀ ଶୁକ୍ରବାର ସକାଳେ ଇଟାଭାଟି ନିକଟରେ ପ୍ରବାହିତ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ । ବିଳମ୍ବ ହେବାରୁ ପରିବାର ଖୋଜାଖୋଜି କରିଥିଲେ । ନଦୀ ନିକଟ ପୋଲ୍ ପାଖରେ ଏକ ନିକାଞ୍ଚନ ଜାଗାରେ ତାଙ୍କର କ୍ଷତାକ୍ତ ମୃତଦେହ ପଡ଼ିଥିଲା । ପାରିପାର୍ଶ୍ବିକସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ଅନ୍ୟପଟେ ଏହି ଘଟଣାକୁ ଆଗକୁ ନ ବଢ଼ାଇବାକୁ ଠିକାଦାର ମୃତ ଯୁବତୀଙ୍କ ପରିବାର ଉପରେ ପ୍ରବଳ ଚାପ ପକାଉଥିବା ଜଣାପଡ଼ିଛି । ମାମଲା ରଫାଦଫା କରିଦେବାକୁ ଷଡଯନ୍ତ୍ର କରାଯାଉଛି । ପରିବାର ପ୍ରତି ବିପଦ ରହିଛି । ଓଡ଼ିଶା ସରକାର ଏବଂ ପୁଲିସ୍ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି ।
ସୂଚନାଯୋଗ୍ୟ, ଧାନ ଅମଳ ସରିବା ପରେ ଧର୍ମଗଡ଼ ଅଞ୍ଚଳରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ଅନେକ ଶ୍ରମିକ ଠିକାଦାର କ୍ୟାମ୍ପରେ ନିର୍ୟାତିତ ହେଉଛନ୍ତି । ଏହାକୁ ମିଶାଇ ସପ୍ତାହକରେ ଧର୍ମଗଡ ଅଞ୍ଚଳର ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଲାଣି । ଗତ ୧୮ତାରିଖ ଖୁଣ୍ଟିଆ ପଞ୍ଚାୟତ ମିର୍ଜାପୁର ଗ୍ରାମର ଅନିଲ ସାଗର (୪୫) ଏବଂ ୨୦ ତାରିଖରେ ଧର୍ମଗଡ ଏନ୍ଏସି ଅନ୍ତର୍ଗତ କେବିଡି ଗ୍ରାମର ନନ୍ଦ ଗୋପାଳଙ୍କ ମୃତ୍ୟୁ ହୋଇଥିଲା ।
Comments ସମସ୍ତ ମତାମତ