ମୁଖ୍ୟ ଖବର
ଖଣ୍ଡପଡ଼ା: ମାତ୍ର ୬ ମାସ ତଳେ ପ୍ରେମ ବିବାହ କରିଥିଲେ ଦମ୍ପତି। ତେବେ ଯେଉଁ ହାତରେ ସ୍ଵାମୀକୁ ବରଣ ମାଳା ପିନ୍ଧାଇଥିଲେ ସେଇ ହାତରେ ସ୍ବାମୀର ଜୀବନ ନେଇଛି ସ୍ତ୍ରୀ। ନିଜ ମଥାର ସିନ୍ଦୂର ପୋଛିଲା ନିଜେ ସ୍ତ୍ରୀ। ଖଣ୍ଡପଡ଼ା ବ୍ଲକ ଖଳିସାହି ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖିଛି। ଖଳିସାହି ପଞ୍ଚାୟତ ଅଧୀନ ବାସୁଦେବପୁର ଗ୍ରାମରେ ସ୍ଵାମୀକୁ ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ସ୍ତ୍ରୀକୁ ଥାନାକୁ ଉଠାଇ ଆଣି ତଦନ୍ତ କରାଯାଉଥିବା ସୂଚନା ମିଳିଛି।ମୃତ ଯୁବକ ବାପୁନୀ କୁମାର ମହାପାତ୍ର (୩୫)ଙ୍କ ବାପା ମଧୁସୂଦନ ମହାପାତ୍ର ସ୍ଥାନୀୟ ଥାନାରେ କରିଥିବା ଏତଲା ଅନୁଯାୟୀ ଅନୁଗୁଳ ସ୍ଥିତ ଓଡିଶା ସ୍କିଲ ଡେଭଲପମେଣ୍ଟ ସଂସ୍ଥାରେ କାର୍ୟ୍ୟ କରୁଥିଲେ ବାପୁନୀ। ଗତ ୬ ମାସ ତଳେ ଜଟଣୀ ଅଞ୍ଚଳର ଲକି ନାୟକ(୩୨)ଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଶୁକ୍ରବାର ରାତି ପ୍ରାୟ ଗୋଟାଏରେ ବୋହୂ ଲକି ନାୟକ ପୁଅ ଅସୁସ୍ଥ ହୋଇପଡିଥିବା ନେଇ ଫୋନ ଯୋଗେ ଖବର ଦେଇଥିଲେ। ଏକ ଦଶାହ କାର୍ୟ୍ୟରେ ବାହାରେ ଥିବା ମଧୁସୂଦନ ନିଜର ସମ୍ପର୍କୀୟଙ୍କ ସହିତ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ନେଇ ସୂଚନା ପାଇଥିଲେ। ମଧୁସୂଦନ ତାଙ୍କ ପୁଅକୁ ବୋହୂ ଲକି ନାୟକ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି।
ଗତ ୬ ମାସ ତଳେ ଉଭୟଙ୍କର ବିବାହ ହୋଇଥିବା ବେଳେ ଅଧିକାଂଶ ସମୟ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏପରିକି ପୁଅକୁ ମାନସିକ ଭାବେ ନିର୍ୟାତନା ଦେଉଥିବା ବୋହୂ ଜୀବନରୁ ମାରିଦେବା ନେଇ ଏକାଧିକ ଥର ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ମଧୁସୂଦନ। ରାତିରେ ଘରେ କେହି ନଥିବା ଅବସ୍ଥାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ମଧୁସୂଦନ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ସ୍ଥାନୀୟ ପୁଲିସ ବୋହୂ ଲକି ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ସୂଚନା ମିଳିଛି। ସନ୍ଧ୍ୟାରେ ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି।
Comments ସମସ୍ତ ମତାମତ