Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତ୍ରିକୋଣୀୟ ପ୍ରେମ ସମ୍ପର୍କ: ହତ୍ୟାକାଣ୍ଡର ଷଡଯନ୍ତ୍ର

    Share on :
    ajab-Image
    Date: Dec 11, 2025    Views: 3471

    ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ ଠାରେ ହୀରାକୁଦର ଗୁଜାତଲ ନିବାସୀ ଅଭୟ ଦାସ ଙ୍କ ମଙ୍ଗଳବାର ରକ୍ତ ଜୁଡୁବୁଡ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ପର୍ଦ୍ଦାଫାଶ ସମ୍ବଲପୁର ପୁଲିସ କରି ସୋନପୁର ଜିଲା ବିନିକା ନିବାସୀ ଆଶୁତୋଷ ମିଶ୍ର (୨୩) ଏବଂ ତାଙ୍କର ନାବାଳିକା ପ୍ରେମିକା (୧୭) ଙ୍କୁ ଗିରଫ କରିଛି । ଏହି ମର୍ମରେ ବୁଧବାର ସନ୍ଧ୍ୟାରେ ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର ଜିଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି କହିଛନ୍ତି ଯେ, ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଆଶୁତୋଷ ଓ ତାଙ୍କର ନାବାଳିକା ପ୍ରେମିକା ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିଲେ ।
    ଆଶୁତୋଷ ଙ୍କ ସାଙ୍ଗ ତଥା ସ୍ଥାନୀୟ ଷ୍ଟେସନପଡା ନିବାସୀ ସୋନି ବିଭାର ନାମକ ଜଣେ ଯୁବକଙ୍କୁ ସାଥିରେ ନେଇ ନାବାଳିକାଙ୍କ ଦ୍ୱାରା ତାଙ୍କର ପୁର୍ବତନ ପ୍ରେମିକ ଅଭୟ ଦାସ ଙ୍କୁ ସୋମବାର ଅପରାହ୍ନରେ ସ୍ଥାନୀୟ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ ନିକଟକୁ ଫୋନ କରି ଡକାଇଥିଲେ ଏବଂ ସେଠାରେ ତାଙ୍କର ହତ୍ୟା କରିଥିଲେ । ହତ୍ୟାର ଶିକାର ହୋଇଥିବା ଯୁବକ ଅଭୟ ଘରକୁ ଠିକ ସମୟରେ ନ ଫେରିବାରୁ ତାଙ୍କୁ ପରିବାର ଲୋକେ ଖୋଜିଥିଲେ । ମଙ୍ଗଳବାର ସକାଳ ସମୟରେ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ ନିକଟରେ ତାଙ୍କର ସ୍କୁଟି, ଚପଲ ରହିଥିବାର ଦେଖି ପରିବାର ଲୋକେ ତାଙ୍କୁ ପାହାଡରେ ଖୋଜିଥିଲେ । ପାହାଡ ଉପରକୁ ଯିବାରୁ ସେଠାରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା ଏବଂ ପରିବାର ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ମୃତ ଅଭୟ ଙ୍କ ପିତା ରଘୁନାଥ ଦାସ ଙ୍କ ଅଭିଯୋଗ କ୍ରମେ କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ସମୟରେ ଏହି ତ୍ରିକୋଣୀୟ ପ୍ରେମ ସମ୍ପର୍କରେ ଜଣାପଡିଥିଲା ।
    ଅତିରିକ୍ତ ଏସପି ଶ୍ରୀ ମିଶ୍ର ଆହୁରୀ କହିଛନ୍ତି ଯେ, ପ୍ରାୟ ୨ ବର୍ଷ ପୁର୍ବେ ନାବାଳିକା ହୀରାକୁଦ ଠାରେ ପଢ଼ୁଥିବା ବେଳେ ତାଙ୍କର ପ୍ରେମ ସମ୍ପର୍କ ମୃତ ଅଭୟଙ୍କ ସହିତ ଗଢ଼ି ଉଠିଥିଲା । ଏହା ପରେ ନାବାଳିକା ଜଣକ ସୋନପୁର କଲେଜକୁ ପଢ଼ିବାକୁ ଯାଇଥିଲେ । ସେଠାରେ ବିନକା ନିବାସୀ ଆଶୁତୋଷ ଙ୍କ ସହିତ ଭେଟ ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ପରେ ନାବାଳିକା ଜଣକ ଅଭୟ ଙ୍କ ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ଅଭୟ ତାଙ୍କର ପିଛା ନ ଛାଡିବାରୁ, ନାବାଳିକା ଜଣକ ତାଙ୍କର ପ୍ରେମିକ ଆଶୁତୋଷ ଙ୍କ ସହିତ ମିଶି ତାକୁ ହତ୍ୟା କରିବାର ଷଡଯନ୍ତ୍ର କରିଥିଲେ । ଏଣୁ ସେମାନେ ସୋମବାର ଚତୁରତାର ସହିତ ଅଭୟଙ୍କୁ ଫୋନ କରି ଲକ୍ଷ୍ମୀ ଡୁଙ୍ଗୁରୀ ଅଞ୍ଚଳକୁ ଡାକିଥିଲେ ଏବଂ ସେଠାରେ ଷ୍ଟିଙ୍ଗ ନାମକ ଏକ ପାନୀୟ ଜଳରେ ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ । ଏଣୁ ତାହା ପିଇବା ପରେ ଅଭୟ ଅଚେତ ହୋଇଯାଇଥିଲେ । ସେହି ସମୟରେ ତାଙ୍କର ଶରୀରକୁ ଛୁରୀ ଓ ସର୍ଜିକାଲ ବ୍ଲେଡ ଆଦିରେ ବେକ, ଛାତି, ହାତ, ମୁଣ୍ଡ ଆଦିରେ ଗଭୀର ଆଘାତ କରି ମାରି ଦେଇଥିଲେ । ମୃତକଙ୍କ ଦେହରେ ୨୦ ରୁ ଉର୍ଦ୍ଧ ଆଘାତ ହତ୍ୟାକାରୀ ମାନେ କରିଛନ୍ତି । ଏହା ପରେ ତାଙ୍କର ଶବକୁ ପାହାଡର ଏକ ବୁଦାଳିଆ ସ୍ଥାନରେ ଫିଙ୍ଗି ଦେଇ ଫେରାର ମାରିଥିଲେ ।

    ଏହି ହତ୍ୟାର ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଇନ୍ଟରନସିପ କରୁଥିଲେ ଏବଂ ତାଙ୍କର ଡାକ୍ତରୀ ବିଷୟରେ ଅଭିଜ୍ଞତା ରହିଥିବାରୁ ଏହି ହତ୍ୟାକାଣ୍ଡରେ ତାହା ବ୍ୟବହାର କରିଛନ୍ତି । ଏଣୁ ଆଶୁତୋଷ କୁ ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଥିବା ବେଳେ ନାବାଳିକା କୁ ଅଟକ ରଖି ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଘଟଣାରେ ବ୍ୟବହୃତ ଛୁରୀ, ସର୍ଜିକାଲ ବ୍ଲେଡ, ମୋବାଇଲ, ମୃତକଙ୍କ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ପୁଲିସ ଜବତ କରିଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ସୋନୀ ବିଭାରକୁ ଧରିବାକୁ ପୁଲିସ ଉଦ୍ୟମ କରୁଛି ଏବଂ ଘଟଣାର ତଦନ୍ତ ଜାରି ରହିଛି । ତେବେ ଏହି ହତ୍ୟାକାଣ୍ଡ ପାଇଁ ଫେରାର ଥିବା ଯୁବକଙ୍କୁ ସୁପାରି ଦିଆଯାଇଥିବାର ଅଭିଯୋଗ ସମ୍ପର୍କରେ ତାଙ୍କୁ ଧରିବା ଓ ତଦନ୍ତ ପରେ ଜଣାପଡିବ ବୋଲି ଅତିରିକ୍ତ ଏସପି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ତୁଫାନ ବାଗ ଓ କ୍ଷେତରାଜପୁର ଥାନା ଅଧିକାରୀ ଅନୀଲ ପ୍ରଧାନ ଉପସ୍ଥିତ ରହିଥିଲେ । ଏହି ଘଟଣାର ପ୍ରଥମ ସୁରାକ ପୁଲିସ ମୃତକ ଙ୍କ ମୋବାଇଲରୁ ପାଇଥିଲା ବୋଲି ଜଣାପଡିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook