ମୁଖ୍ୟ ଖବର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୭-୨୮ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧିକୁ ଅନୁମୋଦନ କରିଛି। କୁସୁମ ପାଇଁ ସର୍ବାଧିକ ଏମ୍ଏସ୍ପି ବୃଦ୍ଧି ଘୋଷଣା କରାଯାଇଛି। ଏହି ଫସଲର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୬୭୫ ଟଙ୍କା ବୃଦ୍ଧି କରାଯାଇଛି। ତୈଳବୀଜ ଫସଲ ସୋରିଷ ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୪୧୩ ଟଙ୍କା, ମସୁର ଡାଲି ୩୯୦ ଟଙ୍କା, ଚଣା ୮୩ ଟଙ୍କା, ଗହମ ୨୫ ଟଙ୍କା ଓ ଯଅ କ୍ବିଣ୍ଟାଲ ପିଛା ୧୩୬ ଟଙ୍କା ବଢ଼ାଇ ଦିଆଯାଇଛି। ଆଇଟିମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗ୍ରୀନ ଏନର୍ଜି କରିଡର ଫେଜ-୩କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ଯୋଜନାରେ ୧,୮୬, ୪୦୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୧୩୫ ଗିଗାୱାଟ ପର୍ଯ୍ୟନ୍ତ ନବୀକରଣ ଶକ୍ତି ପାଇଁ ଆନ୍ତଃରାଜ୍ୟ ଟ୍ରାନ୍ସମିସନ ସିଷ୍ଟମ ପ୍ରସ୍ତୁତ କରାଯିବ। ୨୦୩୨-୩୩ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଦିଲ୍ଲୀରେ ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ୧୭୯୦ କୋଟି ଟଙ୍କାର ଇଣ୍ଟେଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ)କୁ ମଞ୍ଜୁରୀ ମିଳିଛି। ଇପିଏଫଓର ମାସିକ ଦରମା ସୀମାକୁ ୧୫ ହଜାରରୁ ବଢ଼ାଇ ୨୫୦୦୦ କରିବାକୁ କ୍ୟାବିନେଟ ଅନୁମତି ଦେଇଛି। ଚାଷୀଙ୍କୁ ଶସ୍ତାରେ ସାର ଯୋଗାଇବାକୁ ୪୧,୫୩୩ କୋଟି ଟଙ୍କା ସବସିଡି ମଞ୍ଜୁରୀ କରାଯାଇଛି।
Comments ସମସ୍ତ ମତାମତ