ମୁଖ୍ୟ ଖବର
ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶରେ ଏହି ବଜେଟ ନୂଆ ମାଇଲସ୍ତମ୍ଭ ସ୍ଥାପନ କରିବ । ଏହି କ୍ଷେତ୍ରକୁ ଅଧିକ ସଶକ୍ତ ଓ ସୁଦୃଢ଼ କରିବା ପାଇଁ ୨୦୨୬-୨୭ ବଜେଟ ନୂଆ ଗତି ଓ ଶକ୍ତି ଦେବ । ଏମ୍ଏସ୍ଏମ୍ଇ ବିଭାଗର 762,78,36,000 କୋଟି ଟଙ୍କା ବଜେଟ ପାରିତ ହୋଇଛି । ଏହା କହିଛନ୍ତି, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, "ନିଯୁକ୍ତି, ରୋଜଗାର, ଆର୍ଥିକ ସମୃଦ୍ଧି ଓ ସାମଗ୍ରିକ ବିକାଶରେ ଏମ୍ଏସ୍ଏମ୍ଇ କ୍ଷେତ୍ର କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିବ । ୨୦୨୬-୨୭ ବର୍ଷ ପାଇଁ ଏମ୍ଏସ୍ଏମ୍ଇ ବିଭାଗର 762,78,36,000 କୋଟି ଟଙ୍କା ବଜେଟ ବିଧାନସଭାରେ ପାରିତ ହୋଇଛି । ସେଥିରୁ 672,40,11,000 ଟଙ୍କା ଯୋଜନା ବ୍ୟୟ ହୋଇଥିବା ବେଳେ 90,38,25,000 ଟଙ୍କା ପ୍ରଶାସନିକ ବ୍ୟୟ ନିମନ୍ତେ ବରାଦ କରାଯାଇଛି । କୃଷି ପରେ ଏମ୍ଏସ୍ଏମ୍ଇ ହେଉଛି ସବୁଠାରୁ ବଡ ନିଯୁକ୍ତି କ୍ଷେତ୍ର । ରାଜ୍ୟ ଉଦ୍ୟମ ପୋର୍ଟାଲରେ ମୋଟ 14,03,200 କ୍ଷୁଦ୍ର, ମଧ୍ୟମ ଏବଂ ମଧ୍ୟମ ଉଦ୍ୟୋଗ ପଞ୍ଜିକୃତ ହୋଇଛି ।"
ଛୋଟ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସହଜ ଋଣ ସୁବିଧା, ପୁଞ୍ଜି ସବସିଡି, ରପ୍ତାନି ପ୍ରୋତ୍ସାହନ ଓ ଟେକ୍ନୋଲୋଜି ଅପଗ୍ରେଡେସନ୍ ପରି ଅନେକ ପଦକ୍ଷେପ ନିଆଯାଉଛି । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ କରାଯାଉଥିବା ଓ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ଷ୍ଟାର୍ଟଅପ୍ ଯୋଜନାରେ ବିଶେଷ ଦିଆଯାଉଛି । ଏମ୍ଏସ୍ଏମ୍ଇ କ୍ଲଷ୍ଟର ଭିତ୍ତିକ ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଉଛି । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଏମ୍ଏସ୍ଏମ୍ଇ ବିଭାଗର କମିଶନର ତଥା ଶାସନ ରଶ୍ମିତା ପଣ୍ଡା, ଶିଳ୍ପ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଜ୍ୟୋତି ମିଶ୍ର, ଅତିରିକ୍ତ ଶାସନ ସଚିବ ଶୈଳେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ବିକଶିତ ଓଡ଼ିଶା ୨୦୩୬ର ପରିକଳ୍ପନାକୁ ସୁଦୃଢ଼ କରିବା ଦିଗରେ ପ୍ରମୁଖ ପଦକ୍ଷେପ ନିଆଯାଇଛି । ଓଡ଼ିଶାର ଶିଳ୍ପ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ମୋଟ ୧,୨୦୦ କୋଟି ଟଙ୍କା ଓ ପ୍ରତିଷ୍ଠାନ ଓ ପରିଚାଳନା ଖର୍ଚ୍ଚ ବାବଦକୁ ୭.୨୯ କୋଟି ଟଙ୍କାର ବଜେଟ ବ୍ୟୟ ଅଟକଳ ରହିଛି । ଏଥିରେ ଏସଆଇଡିବିଆଇ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ଏବଂ ଦୀନ ଦୟାଲ କର୍ମଚାରୀ ନିବାସ ଅଧୀନରେ ଶିଳ୍ପ ଶ୍ରମିକଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ୨୪୩ କୋଟି, ଶିଳ୍ପାଞ୍ଚଳଗୁଡ଼ିକର ଉନ୍ନତୀକରଣ ପାଇଁ ଶିଳ୍ପ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି ବାବଦକୁ ୧୬୦ କୋଟି ଏବଂ ପାଇପଲାଇନ ଓ ବିଦ୍ୟୁତ ଯୋଗାଣ ଭଳି ବାହ୍ୟ ଭିତ୍ତିଭୂମିର ବିକାଶ ପାଇଁ ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ୧୫୦ କୋଟି ଟଙ୍କା ରହିଛି ।
Comments ସମସ୍ତ ମତାମତ