ମୁଖ୍ୟ ଖବର
ଭୁବନେଶ୍ବର : ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅଗ୍ରସର ପାଇଁ ବଙ୍ଗୋପସାଗରରେ ଲଘୁଚାପ ଦରକାର। କିନ୍ତୁ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କି ଲଘୁଚାପ ସୃଷ୍ଟିର କୌଣସି ସଙ୍କେତ ମିଳୁନାହିଁ। ପୂର୍ବରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ବାୟୁମଣ୍ଡଳରେ ଆର୍ଦ୍ରତା ଥିଲା। ଏବେ ଦକ୍ଷିଣ-ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ବାୟୁମଣ୍ଡଳକୁ ଆର୍ଦ୍ରତା ଆସିଲାଣି। ଗତ ୪୮ଘଣ୍ଟା ପୂର୍ବେ ବଙ୍ଗୋପସାଗରରେ ଯେଉଁ ଆର୍ଦ୍ରତା ସ୍ଥିତି ଥିଲା, ବର୍ତ୍ତମାନ ଦେଖିଲେ ଆର୍ଦ୍ରତା ସ୍ଥିତିରେ ପରିବର୍ତ୍ତନ ଆସିଛି। ତେଣୁ ଓଡ଼ିଶା ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅଗ୍ରସର ହେଉଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ବଙ୍ଗୋପସାଗରରେ ଆଗକୁ ବଢ଼ିଛି। ସାମୁଦ୍ରିକ ଆର୍ଦ୍ରତା ଧୀରେ ଧୀରେ ଓଡ଼ିଶା ଉପରକୁ ବିସ୍ତାର କରୁଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପାଗ ମେଘୁଆ ଓ ଗୁଳୁଗୁଳିପୂର୍ଣ୍ଣ ଅବସ୍ଥାକୁ ଆସିଛି। ବାରମ୍ବାର ଘଡ଼ଘଡ଼ି ସହ ବର୍ଷା ହେଉଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରାରୁ ବିଶେଷ ଆଶ୍ୱସ୍ତି ମିଳିନାହିଁ। ଲୋକେ ଏବେ ମଧ୍ୟ ବର୍ଷାକୁ ଅପେକ୍ଷା କରିଛନ୍ତି। ଯଦିଓ ବଙ୍ଗୋପସାଗରରେ ଏପର୍ଯ୍ୟନ୍ତ କୌଣସି ସୁସଂଗଠିତ ଲଘୁଚାପ କ୍ଷେତ୍ର କିମ୍ବା ଅବପାତ ସୃଷ୍ଟି ହୋଇନାହିଁ, ତଥାପି ମୌସୁମି ଦୁର୍ବଳ ହେବାର କୌଣସି ସଙ୍କେତ ନାହିଁ। ଗୋଟିଏ ସପ୍ତାହ ପୂର୍ବର ସ୍ଥିତି ତୁଳନାରେ ବର୍ତ୍ତମାନର ବାୟୁମଣ୍ଡଳୀୟ ପରିବେଶ ମୌସୁମିର ଅଗ୍ରଗତି ପାଇଁ ଅଧିକ ଅନୁକୂଳ ହେବାରେ ଲାଗିଛି।
ବର୍ତ୍ତମାନର ସୂଚନାନୁଯାୟୀ, ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଆକାଶରେ ମେଘର ପରିମାଣ ବୃଦ୍ଧି ପାଇବ। ଗୁଳୁଗୁଳି ବଢ଼ିବ ଏବଂ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଦିନର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ। ଅଧିକାଂଶ ଉପକୂଳ ଓଡ଼ିଶାରେ ୧୦ରୁ ୧୩ ତାରିଖ ମଧ୍ୟରେ ମୌସୁମି ପ୍ରବେଶ କରିବା ସମ୍ଭାବନା ରହିଛି। ଲଗାତାର ମେଘୁଆ ପାଗ ଏବଂ ବ୍ୟାପକ ବର୍ଷା ସହ ୧୨ରୁ ୧୬ ମଧ୍ୟରେ ମୌସୁମି ସମଗ୍ର ଓଡ଼ିଶା ଛୁଇଁବାର ସମ୍ଭାବନା ଅଛି।
ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳ ତୁଳନାରେ ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଜାରି ରହିବ। ଆସନ୍ତା ୧୦ ମଧ୍ୟରେ ସାମୟିକ ଗ୍ରୀଷ୍ମପ୍ରବାହ ଜାରି ରହିବ। ମଝିରେ ମଝିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୧୦ରୁ ୧୩ ମଧ୍ୟରେ ପଶ୍ଚିମ ଓଡ଼ିଶାର ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଏବଂ ଘନ ମେଘମାଳା ଯୋଗୁଁ ପାଗରେ ପରିବର୍ତ୍ତନ ଆସିବ। ପଶ୍ଚିମ ଓଡ଼ିଶାରେ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ମୌସୁମି ପ୍ରବେଶ କରିବା ସମ୍ଭାବନା ଅଛି। ଏହାପରେ ୧୫ରୁ ୧୮ତାରିଖ ମଧ୍ୟରେ ବ୍ୟାପକ ଭାବେ ମୌସୁମି ବର୍ଷା ହେବ।
ବର୍ତ୍ତମାନର ସ୍ଥିତି ଦେଖିଲେ ପାଗରେ ଧୀରେ ଧୀରେ ସୁଧାର ଆସୁଛି। ଏହା ମୌସୁମିର ଅଗ୍ରଗତିକୁ ସାହାଯ୍ୟ କରୁଛି। ଯଦିଓ ମୌସୁମିକୁ ଅତି ଦ୍ରୁତଗତିରେ ଆଗକୁ ନେବା ଭଳି କୌଣସି ଶକ୍ତିଶାଳୀ ପାଣିପାଗ ପ୍ରକ୍ରିୟା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ, ତଥାପି ସମଗ୍ର ରାଜ୍ୟରେ ଏକାସଙ୍ଗେ ନ ହୋଇ ପର୍ଯ୍ୟାୟକ୍ରମେ ପାଗ ବଦଳିବାର ସମ୍ଭାବନା ରହିଛି। ଯେଉଁଥିରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲାଗୁଡ଼ିକ ତୁଳନାରେ ଉପକୂଳ ଓଡ଼ିଶାରେ କିଛି ଦିନ ପୂର୍ବରୁ ମୌସୁମି ଆସିଯିବ।
Comments ସମସ୍ତ ମତାମତ