ମୁଖ୍ୟ ଖବର
କଟକ/ଭୁବନେଶ୍ୱର : ଯୁବ ଦିବସରେ ମହମ୍ମଦ ମୋକିମ୍ ଙ୍କ ଯୁବ ସମାବେଶ। ସାମିଲ୍ ହେବେ ଦେଢ ହଜାରରୁ ଅଧିକ ଯୁବକ। ସମୃଦ୍ଧ ଓଡ଼ିଶା ଗଠନ ଲାଗି ନେବେ ସଂକଳ୍ପ। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ନୂଆ ଆଞ୍ଚଳିକ ଦଳର ପଡ଼ିପାରେ ମୂଳଦୁଆ। ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ ବିଧାୟକ। ଇଂ. ମହମ୍ମଦ ମୋକିମ୍ ଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଏକ ଯୁବ ସମାବେଶ ଅନୁଷ୍ଠିତ ହେଉଛି। ତେବେ ମୋକିମ୍ ଙ୍କ କାର୍ୟ୍ୟକ୍ରମରେ କେଉଁ ଯୁବ ନେତାମାନେ ସାମିଲ ହେବେ ଜାଣନ୍ତୁ ?
ଯୁବ ସମାବେଶ କାର୍ୟ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି, କଂଗ୍ରେସର ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍, ଏଆଇଏସ୍ଏଫ୍ ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ସେହିପରି ରାଜ୍ୟର ପ୍ରଭାବଶାଳୀ ଯୁବ ଚେହେରା ତନୟା ପଟ୍ଟନାୟକ ଓ ଲିତିଶା ମଙ୍ଗତ ପଣ୍ଡା ମଧ୍ୟ ଯୋଗ ଦେବେ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯୁବକମାନେ ମୋ ଓଡ଼ିଶା ମୋ ଦାୟିତ୍ୱର ସଂକଳ୍ପ ନେବେ । ଦାରିଦ୍ର୍ୟ, ବେକାରୀ ସମସ୍ୟା, ନିଶା ନିବାରଣ ଓ ଯୁବକଙ୍କ ନିଯୁକ୍ତି ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ । ତେବେ ଏହି କାର୍ୟ୍ୟକ୍ରମ ସମ୍ପୂର୍ଣ୍ଣ ଅଣରାଜନୈତିକ ବୋଲି ମୋକିମ୍ କହିଛନ୍ତି ।
ମୋକିମ୍ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାର ଯୁବକମାନଙ୍କୁ ନେଇ ଏକ ଆଲୋଚନାଚକ୍ର (ୟୁଥ୍ କନ୍କ୍ଲେଭ୍) ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ଦଳର ଯୁବ ରାଜନୈତିକ ନେତାଙ୍କ ସମେତ ଯୁବ ସଂଗଠକମାନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ମୋକିମ୍ ସୂଚନା ଦେଇଛନ୍ତି । ଏହା ରାଜନୈତିକ କାର୍ୟ୍ୟକ୍ରମ ନୁହେଁ ବୋଲି ମୋକିମ୍ କହୁଥିଲେ ହେଁ, ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଠନର ମୂଳଦୁଆ ସ୍ଥାପନ କରିବା ତାଙ୍କ ପ୍ରକୃତ ଲକ୍ଷ୍ୟ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ସେଥିଲାଗି ସେ ବ୍ୟକ୍ତିଗତ ଉଦ୍ୟମରେ ରାଜଧାନୀରେ କର୍ମୀମାନଙ୍କ ଦ୍ୱାରା ସମାବେଶ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି । ରାଜନୈତିକ ଦଳ ଗଠନ ଆଗରୁ ଯୁବ ସମାବେଶ ଆୟୋଜନ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ତେଣୁ ସେ ନିଜ ନିର୍ବାଚନମଣ୍ଡଳୀର ସମର୍ଥକ ଓ କର୍ମୀମାନଙ୍କୁ ନେଇ ସମାବେଶକୁ ସଫଳ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ସମାବେଶକୁ ସଫଳ କରିବା ପାଇଁ ମୋକିମ୍ କ୍ୟାମ୍ପ୍ କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ପୁରୀ, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରୁ ଯୁବ ସଂଗଠକମାନେ କିପରି ଭୁବନେଶ୍ୱରରେ ପହଞ୍ଚିବେ ସେଥିଲାଗି ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି ।
ଅପରପକ୍ଷେ ପିସିସି ସଭାପତି ଭକ୍ତଚରଣ ଦାସ ମୋକିମଙ୍କ ନାମ ନ ନେଇ କହିଛନ୍ତି, ଯେଉଁମାନେ କଂଗ୍ରେସରେ ରହି ରାଜ୍ୟ ସରକାର ବିରୋଧରେ କ୍ରିୟାଶୀଳ ହୋଇପାରିଲେ ନାହିଁ ବୋଲି ଭାବୁଛନ୍ତି ସେମାନେ ନୂଆ ଦଳ କଲେ ଆମେ ସ୍ୱାଗତ କରିବୁ । ଯେଉଁମାନେ କଂଗ୍ରେସ ଦଳରେ କାମ କରିନାହାନ୍ତି, ସେମାନେ ଯଦି ଅନ୍ୟ ଦଳକୁ ଯିବେ ଯାଆନ୍ତୁ । କଂଗ୍ରେସ ଦଳକୁ ଆଗକୁ ନେବାକୁ ରାଜ୍ୟରେ ଅନେକ ଯୁବକ ଅଛନ୍ତି, ସେମାନେ ଦଳ ପାଇଁ କାମ କରିବେ । ତେବେ ବ୍ୟବସାୟ ଅଛି । ଇଡ଼ି, ଆଇଟି ଭୟ ବି ଅଛି । ତାକୁ ବଞ୍ଚାଇବା ଲାଗି ନୂଆ ଦଳ ବୋଲି ଭକ୍ତ କହିଛନ୍ତି।
Comments ସମସ୍ତ ମତାମତ