ମୁଖ୍ୟ ଖବର
ସମ୍ବଲପୁର: ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବା ପରେ କଡ଼ା ସୁରକ୍ଷା ବଳୟରେ ବୁର୍ଲା ଅଶୋକ ନିବାସରେ ପହଞ୍ଚିଛନ୍ତି । ତାଙ୍କୁ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଓ ଏସ୍ପି ମୁକେଶ ଭାମୂ ସ୍ୱାଗତ କରିଥିଲେ । ଟ୍ରିବ୍ୟୁନାଲ୍ ଟିମ୍ ଶୁକ୍ରବାରଠାରୁ ଦୁଇଦିନ ଧରି ହୀରାକୁଦ ଅଞ୍ଚଳ ପରିଦର୍ଶନ କରିବେ । ହୀରାକୁଦ ଡ୍ୟାମ୍ର,ସ୍ପିଲ୍ଓ୍ବେ , କମାଣ୍ଡ ଏରିଆ, ବୁର୍ଲା ପାୱାର ହାଉସ୍, ଚିପିଲିମା ପାୱାର ହାଉସ୍ ବୁଲି ସ୍ଥିତି ପରଖିବେ । ଅପରାହ୍ନରେ ଝାରସୁଗୁଡ଼ା ବିମାନବନ୍ଦରରେ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ଜଷ୍ଟିସ୍ ଡ.ଦେବୀରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ କୌର କୋଚରଙ୍କ ସହ ୧୦ ଜଣିଆ ଟିମ୍ ପହଞ୍ଚିଥିଲେ । ପୂର୍ବରୁ ୨୦୨୩ରେ ଟ୍ରିବ୍ୟୁନାଲ୍ ଛତିଶଗଡ଼ ଓ ଓଡ଼ିଶାର ମହାନଦୀର ସ୍ଥିତି ଦେଖିଥିଲେ । ଉପର ମୁଣ୍ଡରୁ ଆସୁଥିବା ଇନ୍ଫ୍ଲୋର ସ୍ଥିତି, ହୀରାକୁଦର ଜଳ ପରିଚାଳନା, ହୀରାକୁଦରୁ ତଳ ମୁଣ୍ଡରେ ଏବଂ ଉପର ମୁଣ୍ଡର ଛତିଶଗଡ଼ ସୀମା ଯାଏଁ ପାନୀୟ ଜଳ, ଜଳସେଚନ ପ୍ରକଳ୍ପ, ଶିଳ୍ପକୁ ଜଳଯୋଗାଣ ପ୍ରସଙ୍ଗର ଅନୁଧ୍ୟାନ କରିଥିଲେ ।
ସେହିପରି ତତ୍କାଳୀନ ବାଜପେୟୀ ସରକାରରେ ପରିକଳ୍ପନା କରାଯାଇଥିବା ନଦୀ ସଂଯୋଗୀକରଣ ଯୋଜନା ଅନ୍ତର୍ଗତ ମହାନଦୀ ଓ ବ୍ରାହ୍ମଣୀ ନଦୀ ସଂଯୋଗ ଉପରେ ବି କମିଟି ଅନୁଧ୍ୟାନ କରିଥିଲା । ଏହି ନଦୀ ସଂଯୋଗୀକରଣ ପାଇଁ ଆବଶ୍ୟକ ହେଉଥିବା କେନାଲ୍ ପ୍ରକଳ୍ପ ସମ୍ବଲପୁର ସହର ଉପକଣ୍ଠ କିଲାସମାରୁ ଆରମ୍ଭ କରିବାର ପ୍ରସ୍ତାବ ରହିଥିଲା । ତେଣୁ ଏହି ଘଟଣା ସ୍ଥଳକୁ ମଧ୍ୟ ଟିମ୍ ପରିଦର୍ଶନ କରିଥିଲା । ସେହିପରି ଛତିଶଗଡ଼ରେ ମହାନଦୀର ମୁଖ୍ୟ ସ୍ରୋତରେ ଥିବା କଲମା, ସାରଡିହି, ବସନ୍ତପୁର, ଶିବରି ନାରାୟଣ, ମିରୋନି ଏବଂ ସମୋଡା ଆଦି ବ୍ୟାରେଜ ସହ ମହାନଦୀ ବେସିନ୍ରେ ନିର୍ମାଣ ହୋଇଥିବା କେଲୋ ଓ ମହାନଦୀ ବିବାଦର ସୂତ୍ରପାତ କରିଥିବା ଅର୍ପା ଭୈସାଝର ଆଦି ବହୁ ପ୍ରକଳ୍ପ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଟିମ୍ ଏସବୁ ପୁନର୍ବାର ସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି ।
Comments ସମସ୍ତ ମତାମତ