ମୁଖ୍ୟ ଖବର
ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ବିଜେଡି ଓ ବିଜେପି ମଧ୍ୟରେ ପୁଣି ତେଜିଲା ବୟାନବାଜି। ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ବିଜେପି ସରକାର କୌଣସି ପଦକ୍ଷେପ ନେଇ ନଥିବାବେଳେ ଗତ ୧୯ ମାସରେ ଛତିଶଗଡ଼ ଅନେକ ଚେକ୍ ଡ୍ୟାମ୍ ଓ ବାଲିବନ୍ଧ ନିର୍ମାଣ କରିଥିବା ବିଜେଡି ଅଭିଯୋଗ କରିଛି। ଏପରିକି ଆପୋସ ଆଲୋଚନା ନା ନ୍ୟାୟାଧିକରଣ (ଟ୍ରାଇବୁନାଲ) ମାଧ୍ୟମରେ ବିବାଦର ସମାଧାନ ହେବ ସେନେଇ ରାଜ୍ୟ ସରକାର ଦ୍ବନ୍ଦ୍ବରେ ଥିବା ବିଜେଡି ଅଭିଯୋଗ କରିଛି। ଜବାବରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପାଲଟା ପ୍ରଶ୍ନ କରିବା ସହ ବିଧାନସଭାରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି।
ବିଜେଡିର ଅଭିଯୋଗ ଉପରେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ୨୪ ବର୍ଷ ଶାସନ କରିବାକୁ ସୁଯୋଗ ଦେଇଥିଲେ। ଏବେ କାଦୁଅ ନ ଫୋପାଡ଼ି ବିଧାନସଭାରେ ଏ ପ୍ରସଙ୍ଗ ଆଣିବାକୁ ପ୍ରସ୍ତୁତ ହୁଅନ୍ତୁ। ସେମାନଙ୍କୁ ପକ୍ଷ ରଖିବା ପାଇଁ ଯେତିକି ସମୟ ଦରକାର ଦିଆଯିବ। ୨୪ ବର୍ଷ ଭିତରେ ସେମାନେ କ’ଣ କରିଛନ୍ତି, ତାହା ଜାଣିବାର ଅଧିକାର ଓଡ଼ିଶାବାସୀଙ୍କ ଅଛି। ଯେଉଁ ସମୟେର ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ ଚାଲିଥିଲା, ସେ ସମୟେର ବିଜେଡି ସରକାର କ’ଣ କରିଥିଲା ତାହାର ଶ୍ବେତପତ୍ର ପ୍ରକାଶ କଲେ ଓଡ଼ିଶାବାସୀ ସବୁ କିିଛି ଜାଣିପାରିବେ। ୧୭ରୁ ବିଧାନସଭା ଆରମ୍ଭ ହେଉଛି। ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ଏ ସମ୍ପର୍କରେ ବିଧାନସଭାରେ ବିତର୍କ ପାଇଁ ନୋଟିସ୍ କରୁ। ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ରୋକିବାକୁ ବିଜେଡି ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଦସ୍ତାବିଜ୍ ରଖାଯାଉ। ସେମାନେ ଯାହା ନ କରିଛନ୍ତି, ତାହାର ଦସ୍ତାବିଜ୍ ମୋ ପାଖରେ ଅଛି। ଛତିଶଗଡ଼ର ବ୍ୟାରେଜ୍ ଦ୍ବାରା ଓଡ଼ିଶାର କୌଣସି କ୍ଷତି ହେବନି ବୋଲି କାହିଁକି ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ବିଧାନସଭାରେ କହିଥିଲେ। ଏହାକୁ ନେଇ ଛତିଶଗଡ଼ ନ୍ୟାୟାଧିକରଣରେ ଯୁକ୍ତି ବାଢ଼ୁଛି। ଆମେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି କରିସାରିଛୁ। ଛତିଶଗଡ଼କୁ କମିଟି ଗଠନ କରିବାକୁ ପରାମର୍ଶ ଦେଇଛୁ। ଏହାଦ୍ବାରା ଦୁଇ ଉଚ୍ଚସ୍ତରୀୟ କମିଟି ଆପୋସ ଆଲୋଚନା କରିବେ। କେନ୍ଦ୍ର ସରକାର ମଧ୍ୟସ୍ଥି ଭୂମିକା ନିର୍ବାହ କରୁଛନ୍ତି।
Comments ସମସ୍ତ ମତାମତ