ମୁଖ୍ୟ ଖବର
ପାଟନା : ଚଳିତ ବିହାର ନିର୍ବାଚନରେ ଏକ ବିରୋଧାତ୍ମକ ସ୍ଥିତି ଦେଖିବାକୁ ମିଳିଛି । ପୂର୍ବ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛାଇ ପଡ଼ିଲେ ଡେଉଁଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥର ମୋଦିଙ୍କ ଲୋକପି୍ରୟତାକୁ ପାଥେୟ କରି ଲଗାତାର ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀତ୍ୱ ବଜାୟ ରଖିବାକୁ ଚାହିଁ ବସିଛନ୍ତି । କାରଣ ବିଗତ ୧୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ତାଙ୍କୁ ଚାଳକ ଆସନ ପରିବର୍ତ୍ତେ ପଛରେ ବସିଥିବା ଦେଖିବାକୁ ମିଳିଛି । ବିହାର ଶାସନ ପରିବର୍ତ୍ତନର ନାୟକ ଭାବେ ବିବେଚିତ ନୀତୀଶ କୁମାରଙ୍କୁ ବିହାରବାସୀ ସମ୍ପ୍ରତି ଜଣେ ପ୍ରଗତିର ପ୍ରତିବନ୍ଧକ ଭାବେ ପରିଗଣିତ କରିବା ଆରମ୍ଭ କରିଛନ୍ତି । ଯଦିଓ ଏଇ ନିର୍ବାଚନରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ମିଳିମିଶି ଏନଡିଏ ମେଣ୍ଟର ଅଂଶୀଦାର ଭାବେ ନିର୍ବାଚନ ଲଢ଼ୁଛନ୍ତି ଏବଂ ଏପରିକି ନୀତୀଶଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଘୋଷଣା ସରିଛି, ତେବେ ମୋଦି ଓ ନୀତୀଶଙ୍କ ଭିତରେ ଅନେକ ତଫାତ ରହିଥିବା ବିହାରବାସୀ ଦେଖିବାକୁ ପାଇଛନ୍ତି । ମୋଦିଙ୍କର କୌଣସି ପୋଷ୍ଟରରେ ନୀତୀଶଙ୍କୁ ଦେଖିବାକୁ ମିଳୁନାହିଁ । ସେହିପରି ନୀତୀଶଙ୍କ ଘୋର ବିରୋଧୀ ଏଲଜେପି ନେତା ଚିରାଗ ପାଶ୍ୱାନଙ୍କ ତୁଣ୍ଡରେ ପଦେ ହେଲେ ମୋଦି ବିରୋଧୀ ଶବ୍ଦ ଶୁଣିବାକୁ ମିଳୁନି । ଏପରିକି ଏନଡିଏ ଅଂଶୀଦାର ଜେଡିୟୁ ବିରୋଧରେ ଚିରାଗ ନିଜ ପ୍ରାର୍ଥୀ ଛିଡ଼ା କରିଥିବା ବେଳେ ମୋଦିଙ୍କ ପ୍ରତି ଅହେତୁକ ସମର୍ଥନ ଥିବା ସେ ଖୋଲାଖୋଲି କହି ବୁଲୁଛନ୍ତି । ଏହି ବାହାନାରେ ବିଜେପି ସମର୍ଥକ ମାନେ ଜେଡିୟୁ ଠାରୁ ଦୂରତା ବଜାୟ ରଖି ଏଲଜେପି ପ୍ରଚାରରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।
Comments ସମସ୍ତ ମତାମତ