ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି (ଶୁକ୍ରବାର) ନୂଆଦିଲ୍ଲୀର 'ସେବା ତୀର୍ଥ' ଠାରେ କେନ୍ଦ୍ର କ୍ୟାବିନେଟ୍ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ବୈଠକରେ 'ସୀମା ନିର୍ଦ୍ଧାରଣ ବିଲ୍' (Delimitation Bill)କୁ ଅନୁମୋଦନ ମିଳିଛି, ଯେଉଁଥିରେ ସଂସଦୀୟ ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି।
ନଭେମ୍ବର 30ରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ, ସୀମା ନିର୍ଦ୍ଧାରଣ ବିଲ୍ କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି । ସୂତ୍ର ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି) ଏକ 'ହ୍ୱିପ୍' (whip) ଜାରି କରିବ, ଯାହା ମାଧ୍ୟମରେ ଦଳର ସମସ୍ତ ସାଂସଦଙ୍କୁ ଆଗାମୀ ଅଧିବେଶନ ସମୟରେ ଲୋକସଭା ଏବଂ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯିବ ।
ଆଜି ଦିନ ୧ ଟା ସମୟରେ ଆରମ୍ଭ ହୋଇଥିବା ଏହି କ୍ୟାବିନେଟ୍ ବୈଠକ, ଦିଲ୍ଲୀର ପୁସା (PUSA) ପରିସରରେ ଚାଲିଥିବା ବିଜେପିର ଜାତୀୟ ପଦାଧିକାରୀମାନଙ୍କ ଦୁଇ ଦିନିଆ ବୈଠକ ସମୟରେ ହିଁ ଅନୁଷ୍ଠିତ ହୋଇଥିଲା ।
ଏହା ପୂର୍ବରୁ ଗୁରୁବାର ଦିନ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ୧୮ତମ ଲୋକସଭାର ଅଷ୍ଟମ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଥିଲେ ଯେ, ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ସରକାର ଲୋକସଭାକୁ ନଭେମ୍ବର ୩୦ ଏବଂ ରାଜ୍ୟସଭାକୁ ଡିସେମ୍ବର ୨ ତାରିଖରେ ପୁନର୍ବାର ବସିବା ପାଇଁ ଅନୁରୋଧ କରିଛନ୍ତି ।
ଅଧିକାରୀମାନେ ବିଧାନସଭା କାର୍ଯ୍ୟସୂଚୀ ପ୍ରକାଶ କରିନଥିଲେ ମଧ୍ୟ, ଆଗାମୀ ଅଧିବେଶନଗୁଡ଼ିକ ସୀମା ନିର୍ଦ୍ଧାରଣ ବିଲ୍ - ଯାହା ଲୋକସଭାକୁ 850 ଆସନକୁ ବିସ୍ତାର କରିବାକୁ ବିଚାର କରେ ଏବଂ ମହିଳା ସଂରକ୍ଷଣ ବିଲ୍ ର ସମ୍ଭାବ୍ୟ ଆଗତ ସମ୍ପର୍କରେ ରାଜନୈତିକ କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଛି । ସଂସଦର ଶେଷ ବୈଠକ ମୌସୁମୀ ଅଧିବେଶନ ସମୟରେ ହୋଇଥିଲା, ଯାହା ଅଗଷ୍ଟ 13ରେ ସ୍ଥଗିତ ରହିଥିଲା ।
2026 ଏପ୍ରିଲ 16ରେ କେନ୍ଦ୍ର ସରକାର ଲୋକସଭାରେ ତିନିଟି ବିଲ୍ ଆଗତ କରିଥିଲେ । ସେଗୁଡ଼ିକ ଥିଲା- ସୀମା ନିର୍ଦ୍ଧାରଣ ବିଲ୍-2026(Delimitation Bill), ସମ୍ବିଧାନ 131ତମ ସଂଶୋଧନ ବିଲ୍ ଏବଂ ୟୁନିୟନ ଟେରିଟୋରିଜ୍ ଲ୍ (ଆମେଣ୍ଡମେଣ୍ଟ) ବିଲ୍ । ମାତ୍ର ଏହାକୁ ପାସ୍ କରିବାକୁ ଦୁ୍ଇ ତୃତୀୟାଂଶ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ, ସଂଖ୍ୟା ଅଭାବରୁ 2026 ଏପ୍ରିଲ 17ରେ ଏହି ବିଲ୍ କାଟ୍ ଖାଇ ଯାଇଥିଲା।
ତଥ୍ୟ ଅନୁସାରେ, ଏହି ବିଲ୍ ରେ ଲୋକସଭା ଆସନ ସଂଖ୍ଯା 550ରୁ 850କୁ ବୃଦ୍ଧି ପ୍ରସ୍ତାବ ରହିଛି । ସେଥିରୁ 815 ସଦସ୍ୟ ରାଜ୍ୟଗୁଡ଼ିକରୁ ଏବଂ ବାକି 35 ସାଂସଦ କେନ୍ଦ୍ର ଶାସିତ ଅଞ୍ଚଳରୁ ନିର୍ବାଚିତ ହେବାର ପ୍ରସ୍ତାବ ରହିଛି ।
Comments ସମସ୍ତ ମତାମତ