ମୁଖ୍ୟ ଖବର
ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁଠାରେ ୧୫ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସହରାଞ୍ଚଳ ପରିବହନ, ରେଳବାଇ, ଅକ୍ଷୟ ଶକ୍ତି ଏବଂ ପେଟ୍ରୋଲିୟମ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ କର୍ଣ୍ଣାଟକର ବିକାଶକୁ ନୂଆ ଗତି ଦେବ। ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୦ଟା ୪୫ ମିନିଟ୍ରେ ବେଙ୍ଗାଲୁରୁର ପ୍ରଶାନ୍ତି କୁଟୀରମର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ଏହାପରେ ମଧ୍ୟାହ୍ନ ୧୨ଟା ୪୫ରେ କାଲେନା ଅଗ୍ରହାରାରୁ ତାଭାରେକେରେ ପର୍ଯ୍ୟନ୍ତ ବେଙ୍ଗାଲୁରୁ ମେଟ୍ରୋର 'ପିଙ୍କ୍ ଲାଇନ୍'କୁ ଉଦ୍ଘାଟନ କରିବା ସହ ମେଟ୍ରୋରେ ଯାତ୍ରା କରିବେ।
ଅପରାହ୍ନ ୧ଟା ୧୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ୧୫ ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ ମାଙ୍ଗାଲୁରୁଠାରେ ଭାରତର ସର୍ବବୃହତ୍ତ ଭୂତଳ ଏଲପିଜି ଭଣ୍ଡାରଣ କେନ୍ଦ୍ରର ଲୋକାର୍ପଣ ଏବଂ 'ଅମୃତ ଭାରତ ଷ୍ଟେସନ ଯୋଜନା' ଅଧୀନରେ ପୁନଃବିକଶିତ ୪ଟି ରେଳ ଷ୍ଟେସନର ଉଦ୍ଘାଟନ ସାମିଲ ରହିଛି। ଏହାସହ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ-ମାଙ୍ଗାଲୁରୁ-ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ବେଙ୍ଗାଲୁରୁ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମହୀଶୂର ଗସ୍ତ କରି ଅପରାହ୍ନ ପ୍ରାୟ ୩ଟା ୩୦ରେ ଭାରତର ପ୍ରଥମ ଏଲଇଡି ଡୋମ୍ ତାରାମଣ୍ଡଳ 'କସମସ୍-ମହୀଶୂର ତାରାମଣ୍ଡଳ'ର ଉଦ୍ଘାଟନ କରିବେ।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଫିଲିପାଇନ୍ସ ଗସ୍ତ କରିବେ। ସେ ୨୩ତମ ଆସିଆନ୍-ଭାରତ ସମ୍ମିଳନୀ ଏବଂ ଆସିଆନ୍ ନେତୃତ୍ୱାଧୀନ ପୂର୍ବ ଏସିଆ ସମ୍ମିଳନୀ ପ୍ରକ୍ରିୟାର ୨୧ତମ ବୈଠକରେ ଯୋଗଦେବେ। ବିଦେଶ ବ୍ୟାପାର ମନ୍ତ୍ରାଳୟର ସଚିବ (ପୂର୍ବ) ରୁଦ୍ରେନ୍ଦ୍ର ଟଣ୍ଡନ ଏକ ସ୍ୱତନ୍ତ୍ର ଗଣମାଧ୍ୟମ ବିବୃତିରେ କହିଛନ୍ତି ଯେ ମୋଦୀ ନଭେମ୍ବର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଗସ୍ତରେ ରହିବେ।
ନଭେମ୍ବର ୧୬ରେ ମୋଦୀ ମାନିଲାରେ ପହଞ୍ଚିବେ। ସେଠାରେ ଆସିଆନ୍-ଭାରତ ସମ୍ମିଳନୀ ଓ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ସହ ଅନ୍ୟ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ଗସ୍ତ ଅବସରରେ ସେ ଫିଲିପାଇନ୍ସରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବେ। ଟଣ୍ଡନ କହିଛନ୍ତି ଯେ ଆସିଆନ୍ ଭାରତର ଏକ ପ୍ରମୁଖ ବାଣିଜ୍ୟିକ ସହଯୋଗୀ ଭାବେ ଉଭା ହୋଇଛି। ଏହି ଅଞ୍ଚଳ ସହ ଭାରତର ମୋଟ ବାଣିଜ୍ୟ ପ୍ରାୟ ୧୨୨ ବିଲିୟନ ଡଲାରରେ ପହଞ୍ଚିଛି।
Comments ସମସ୍ତ ମତାମତ