Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦୀଙ୍କ ଯୋଜନା: ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ !

    Share on :
    ajab-Image
    Date: Jun 17, 2026    Views: 2732

    ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ବିଜେପି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଓ ରାଜ୍ୟସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ ଏହି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଉଛି।ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଥିବା ଦୁଇ ଜଣଙ୍କୁ ପୁନର୍ବାର ରାଜ୍ୟସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇନାହିଁ। ଫଳରେ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଥାଉ କି ମୋଦୀ ସରକାରରେ ପ୍ରତିଥର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଥିବା ନଜିର ରହିଛି। ମନ୍ତ୍ରିମଣ୍ଡଳରେ ଅଧିକ ସଂଖ୍ୟକ ମହିଳା, ସହଯୋଗୀ ଦଳ ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟର ନେତାଙ୍କୁ ସାମିଲ କରାଯିବା ଲକ୍ଷ୍ୟରେ ଏହି ଅଦଳବଦଳ କରାଯାଇଥାଏ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି ନେତୃତ୍ବାଧୀନ ୩ ପାଳିର ଏନ୍‌ଡିଏ ସରକାର ନିଜର ୨ବର୍ଷର କାର୍ଯ୍ୟକାଳ ଶେଷ କରିଥିବାରୁ ଖୁବ୍‌ ଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗତ ୨୦୨୪ ଜୁନ୍‌ ୯ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ୩୦ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ୫ଜଣ ରାଜ୍ୟ (ସ୍ବାଧୀନ ପାହ୍ୟା) ମନ୍ତ୍ରୀ, ୩୬ଜଣ ରାଜ୍ୟମନ୍ତ୍ରୀ ଶପଥ ନେଇଥିଲେ। ୨୦୦୩ର ସମ୍ବିଧାନ ସଂଶୋଧନ ଅନୁଯାୟୀ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭାର ମୋଟ୍‌ ସଦସ୍ୟ ସଂଖ୍ୟାର ୧୫%ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିପାରିବେ। କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏହା ୧୦% ରଖାଯାଇଛି।
    ସୂଚନାଥାଉ କି ୨୦୧୪ ନିର୍ବାଚନରେ ବିଜୟୀ ହୋଇ ସରକାର ଗଢ଼ିବା ପରେ ତତ୍‌କାଳୀନ ମୋଦୀ ସରକାର ୨୦୧୬ରେ ମନ୍ତ୍ରିମଣ୍ଡଳ ଅଦଳବଦଳ/ବିସ୍ତାର କରିଥିଲେ। ସେହିପରି ୨୦୧୯ରେ ମୋଦୀ ସରକାର ପୁନର୍ବାର ସରକାର ଗଢ଼ି ଥିବାବେଳେ ୨୦୨୧ ଜୁଲାଇ ୭ରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ/ବିସ୍ତାର କରିଥିଲେ। ଚଳିତଥର ମଧ୍ୟ ସେହିପରି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ବିଜେପି ତରଫରୁ ୧୧ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଓ ଜର୍ଜ କୁରିଆନ୍‌ଙ୍କ ନାମ ନାହିଁ। ସେମାନଙ୍କ କାର୍ଯ୍ୟକାଳ ଆସନ୍ତା ୨୧ରେ ଶେଷ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି। ୨୦୨୭ ଫେବୃଆରୀ-ମାର୍ଚ୍ଚରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ବିଟ୍ଟୁଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ପ୍ରଦାନ ପୂର୍ବକ ପଞ୍ଜାବ ବିଧାନସଭା ନିର୍ବାଚନ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଗତ ମେ’ ୨୮ରେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦିଲ୍ଲୀ ବିଜେପି ସଭାପତି ଭାବେ ନିଯୁକ୍ତ କରିଥିଲେ। ଅନ୍ୟପକ୍ଷରେ ୨୦୨୫ ଡିସେମ୍ବରରେ କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉତ୍ତରପ୍ରଦେଶ ବିଜେପି ସଭାପତି ଭାବେ ନିଯୁକ୍ତ ହୋଇଥିଲେ।
    କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏଥିରେ ମହିଳା, ଓବିସି, ଅନୁସୂଚିତ ଜାତି, ନିର୍ବାଚନ ହେବାକୁ ରାଜ୍ୟର ସାଂସଦଙ୍କୁ ଅଗ୍ରାଧିକାର ମିଳିବ ବୋଲି ଆଲୋଚନା ହେଉଛି। ସେହିପରି ଦଳର ବରିଷ୍ଠ ନେତାଙ୍କୁ ସାଂଗଠିନକ ଦାୟିତ୍ବ ମିଳିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ କେନ୍ଦ୍ରରେ ୭୨ଜଣ ମନ୍ତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୭ଜଣ ହେଉଛନ୍ତି ମହିଳା। ତେଣୁ ମନ୍ତ୍ରିମଣ୍ଡଳରେ ସେମାନଙ୍କ ସଂଖ୍ୟାବୃଦ୍ଧି ହେବା ଏକପ୍ରକାର ନିଶ୍ଚିତ। ୨୦୨୭ ଫେବୃଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ ନିର୍ବାଚନ ହେବାକୁ ଥିବାବେଳେ ୨୦୨୭ ଶେଷ ଭାଗରେ ହିମାଚଳ ପ୍ରଦେଶ ଓ ଗୁଜରାଟରେ ନିର୍ବାଚନ ହେବ। ଆସନ୍ତା ନଭେମ୍ବରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶର ୧୦ ଓ ଉତ୍ତରାଖଣ୍ଡର ଜଣେ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସେମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦଳର କେତେକ ବରିଷ୍ଠ ନେତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିବାକୁ ବିଜେପି ଯୋଜନା ରଖିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook