ମୁଖ୍ୟ ଖବର
ଗୁଜୁରାଟ: ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥ ମନ୍ଦିର ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦଘାଟନକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ 'ସୋମନାଥ ଅମୃତ ମହୋତ୍ସବ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ପ୍ରଭୁ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିରରେ ପହଞ୍ଚି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ । ଏହି ବିଶେଷ ଅବସରରେ ଦେଶର ବିଭିନ୍ନ ୧୧ଟି ପବିତ୍ର ତୀର୍ଥସ୍ଥାନରୁ ଅଣାଯାଇଥିବା ଜଳରେ ପ୍ରଭୁ ସୋମନାଥଙ୍କ 'କୁମ୍ଭାଭିଷେକ' କରାଯାଇଥିଲା। ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ 'ବିଶେଷ ମହାପୂଜା' ସହ ମନ୍ଦିର ଶିଖରରେ 'ଧ୍ୱଜାରୋହଣ' ମଧ୍ୟ କରିଥିଲେ । ଭକ୍ତିମୟ ପରିବେଶ ମଧ୍ୟରେ ବେଦପାଠ ଓ ମନ୍ତ୍ରୋଚ୍ଚାରଣରେ ସମଗ୍ର ମନ୍ଦିର ପ୍ରାଙ୍ଗଣ କମ୍ପି ଉଠିଥିଲା ।
କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶାଳ ରୋଡ୍ ସୋ’ରେ ସାମିଲ ହୋଇଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଘଭୀଙ୍କ ଉପସ୍ଥିତିରେ ହୋଇଥିବା ଏହି ରୋଡ୍ ସୋ’ରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ରାସ୍ତାର ଦୁଇ ପାର୍ଶ୍ୱରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅମୃତ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗୁଜୁରାଟ ଲୋକକଳା ମହାସଂଘ ପକ୍ଷରୁ ପ୍ରାୟ ୨୨୦ରୁ ଅଧିକ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ପୋରବନ୍ଦର ସମେତ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ନିଜର ପାରମ୍ପରିକ ନୃତ୍ୟ ଓ କଳା ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଏକ ପ୍ରତିଫଳନ ସଦୃଶ ହୋଇଛି ।
ଏହି ଐତିହାସିକ ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ସୋମନାଥ ମନ୍ଦିରର ସଂଘର୍ଷ ଏବଂ ପୁନରୁଦ୍ଧାରର ଗାଥାକୁ ଏହା ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି । ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ଏହି ମନ୍ଦିରର ପୁନଃନିର୍ମାଣ ସଂକଳ୍ପ ନିଆଯାଇଥିଲା, ଯାହାର ୭୫ ବର୍ଷ ଆଜି ଗୌରବର ସହ ପାଳନ କରାଯାଉଛି ।
Comments ସମସ୍ତ ମତାମତ