ମୁଖ୍ୟ ଖବର
ନୂଆଦିଲ୍ଲୀ: ୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଆସାମ, କେରଳମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ୩ ରାଜ୍ୟରେ ୬.୧ କୋଟି ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । ୨୯୬ଟି ଆସନରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଭୋଟିଂକୁ ନେଇ ଖାସ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେକର୍ଡ ସଂଖ୍ୟାରେ ଭୋଟ ଦେଇ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆସାମବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହେବା ସହିତ, ମୁଁ ଆସାମବାସୀଙ୍କୁ ବହୁ ସଂଖ୍ୟାରେ ଆସି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରୁଛି । ମୁଁ ଆଶା କରୁଛି ଯେ, ରାଜ୍ୟର ଯୁବପିଢ଼ି, ପୁରୁଷ ଏବଂ ମହିଳା ଭୋଟରମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ ଏବଂ ଏହି ନିର୍ବାଚନକୁ ଗଣତନ୍ତ୍ର ଏବଂ ନାଗରିକ କର୍ତ୍ତବ୍ୟର ଏକ ଉତ୍ସବ ଭାବରେ ପରିଣତ କରିବେ। "
କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ୩୦ଟି ଆସନ ପାଇଁ ମତଦାନ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ପୁଡୁଚେରୀର ଜନସାଧାରଣଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । "ପୁଡୁଚେରୀ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ, ମୁଁ ପ୍ରତ୍ୟେକ ଭୋଟରଙ୍କୁ ବାହାରକୁ ଆସି ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି । ବିଶେଷକରି ଆମର ଯୁବ ଏବଂ ମହିଳା ଭୋଟରମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବାକୁ ନିବେଦନ କରୁଛି । ପୁଡୁଚେରୀର ଭବିଷ୍ୟତ ଗଠନରେ ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ ।
କେରଳମର ୧୪୦ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି କେରଳବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ସେ କହିଛନ୍ତି, "ମୁଁ କେରଳବାସୀଙ୍କୁ ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି । ରେକର୍ଡ ଅଂଶଗ୍ରହଣ କେରଳର ଗଣତାନ୍ତ୍ରିକ ଭାବନାକୁ ଆହୁରି ମଜବୁତ କରିବ । ବିଶେଷକରି ରାଜ୍ୟର ଯୁବପିଢ଼ି ଏବଂ ମହିଳାମାନଙ୍କୁ ଆଗକୁ ଆସି ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି ।"
Comments ସମସ୍ତ ମତାମତ