ମୁଖ୍ୟ ଖବର
ଗୁଆହାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଆସାମ ଗସ୍ତରେ ଆସିଥିବାବେଳେ ରବିବାର ୬୯୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ‘କାଜିରଙ୍ଗା ଏଲିଭେଟେଡ କରିଡର’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଅନୁଯାୟୀ ନାଗାଓଁ ଜିଲା ଅନ୍ତର୍ଗତ କାଳିଆବୋର ନିକଟସ୍ଥ ୭୧୫ ନମ୍ବର ଜାତୀୟ ରାଜପଥ (କାଳିଆବୋର-ନୁମାଲିଗଡ ସେକ୍ସନ)କୁ ଚାରି ଲେନ୍ ବିଶିଷ୍ଟ କରାଯିବାର ଯୋଜନା ରହିଛି। ୮୬ କିମି ଲମ୍ବ ବିଶିଷ୍ଟ କାଜିରଙ୍ଗା ଏଲିଭେଟେଡ କରିଡର ପ୍ରକଳ୍ପର ୩୫ କିମି ରାସ୍ତା କାଜିରଙ୍ଗା ନ୍ୟାସନାଲ ପାର୍କ ଦେଇ ଗତି କରିବ। ଏହାବ୍ୟତୀତ ୨୧ କିମିର ବାଇପାସ୍ ସେକ୍ସନ ରହିବ। ଅବଶିଷ୍ଟ ୩୦ କିମି ରାସ୍ତା (୭୧୫ ନମ୍ବର ଜାତୀୟ ରାଜପଥ)କୁ ଦୁଇରୁ ଚାରି ଲେନ୍ ବିଶିଷ୍ଟ କରାଯିବ। ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବାଫଳରେ ଆଞ୍ଚଳିକ ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ ହେବା ସହିତ କାଜିରଙ୍ଗା ପାର୍କର ଜୈବ ବିବିଧତାକୁ ସୁରକ୍ଷିତ ରଖାଯାଇପାରିବ।
ଏହି ପ୍ରକଳ୍ପ ଆସାମର ତିନିଟି ଜିଲା ଯଥା ନାଗାଓଁ, କର୍ବି ଆଙ୍ଗଲଙ୍ଗ୍ ଏବଂ ଗୋଲାଘାଟ ଜିଲା ଦେଇ ଗତି କରିବ। ଫଳରେ ଅପର ଆସାମରେ ଅବସ୍ଥିତ ଦିବ୍ରୁଗଡ ଓ ତିନିସୁକିଆ ସହ ଗୁଆହାଟୀର ସଂଯୋଗୀକରଣ ସମ୍ଭବ ହେବ। ଏଲିଭେଟେଡ କରିଡର ନିର୍ମିତ ହେଲେ କାଜିରଙ୍ଗା ପାର୍କରେ ଥିବା ଜୀବଜନ୍ତୁଙ୍କ ଚଳପ୍ରଚଳରେ ବାଧା ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି। ଅପରପକ୍ଷରେ ମୋଦୀ ରବିବାର ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ଟ୍ରେନ ଗୁଆହାଟୀରୁ ରୋହତକ୍ ଏବଂ ଅନ୍ୟଟି ଦିବ୍ରୁଗଡରୁ ଲକ୍ଷ୍ନୌ ଯାତାୟାତ କରିବ। ରବିବାର ସକାଳେ ମୋଦୀ ଗୁଆହାଟୀରେ ଆୟୋଜିତ ବିଶାଳ ୠାଲିରେ ଯୋଗଦେଇଥିଲେ। ସହସ୍ରାଧିକ ଜନସାଧାରଣ ରାସ୍ତାର ଦୁଇ ପାର୍ଶ୍ବରେ ଛିଡା ହୋଇ ମୋଦୀଙ୍କୁ ସ୍ବାଗତ ଜଣାଇଥିଲେ। ମୋଦୀଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ଉତ୍ସବରେ ଉପସ୍ଥିତ ଥିଲେ।
Comments ସମସ୍ତ ମତାମତ