Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୫୦ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ ମୋଦୀ

    Share on :
    ajab-Image
    Date: Jun 15, 2025    Views: 3485

    ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଆସନ୍ତା ୨୦ତାରିଖ ଅପରାହ୍‌ଣ ୨ଟା ୩୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହିଠାରୁ ଜନତା ମଇଦାନ ପର୍ୟ୍ୟନ୍ତ କିପରି ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ସେନେଇ ରାଜ୍ୟ ସରକାର ଓ ଓଡ଼ିଶା ବିଜେପି ପକ୍ଷରୁ ବଡ଼ ଆୟୋଜନ କରାଯାଉଛି।
     ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ୍‌ ସୋ’‌ରେ ବିମାନବନ୍ଦରରୁ ଜନତା‌ ମଇଦାନରେ ଆୟୋଜନ ହେବାକୁ ଥିବା ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମ ପର୍ୟ୍ୟନ୍ତ ଯିବେ। ଏହି ରୋଡ୍‌ ସୋ’ ସହ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ଆୟୋଜନ କରାଯାଇଛି। 
    ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନେଇ ପ୍ରସ୍ତୁତ ହୋଇଥିବା ଭିଜନ୍ ଡକୁମେଣ୍ଟକୁ ଲୋକାର୍ପଣ କରିବେ।  ଆସନ୍ତା ୧୧ବର୍ଷର କାଳଖଣ୍ଡକୁ ନଜରରେ ରଖି ବିଜେପି ସରକାର ରାଜ୍ୟରେ କ’ଣ କ’ଣ କରିବାକୁ ଯୋଜନା କରିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ କୁହାଯିବ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଯେପରି ସମସ୍ତଙ୍କ ପାଇଁ ସ୍ମରଣୀୟ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଯୋଜନାର ୫୦ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କାର୍ୟ୍ୟାଦେଶ ଦେବେ। ଲୋକଙ୍କ ସରକାର କିପରି ଲୋକଙ୍କ ପାଇଁ କାମ କରିଛି ତା’ର ଗୋଟି ଗୋଟି ହିସାବ ବି ଦେବେ।ଏହାସହ ବିଭିନ୍ନ ବିଭାଗର କେତେକ ନୂଆ ଯୋଜନାର ଶୁଭାରମ୍ଭ ହେବାକୁ ଥିବାବେଳେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଥିବା ମହାପୁରୁଷ ଆଦର୍ଶ ଗାଁର ଶୁଭାରମ୍ଭ ବି କରିବେ। 

    ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତା ୨୦ତାରିଖରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବର ଆସିବେ। ଏଠାରେ ଦୁଇରୁ ଅଢ଼େଇ ଘଣ୍ଟାର କାର୍ୟ୍ୟକ୍ରମ ରହିଛି। ଜନତା ମଇଦାନ କାର୍ୟ୍ୟକ୍ରମ ଶେଷ ହେବା ପରେ ସିଧା ବିମାନବନ୍ଦର ଯିବେ। ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ବିହାର ଯିବେ। ଜୁନ୍ ୨୧ରେ ବିହାରରେ ଆୟୋଜନ ହେବାକୁ ଥିବା ବିଶ୍ବ ଯୋଗ ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ତିନି କେନ୍ଦ୍ର ମନ୍ତ୍ରୀ ଯୋଗଦେବେ।

    Maximum 500 characters

    ରାଜନୀତି View all

    Find Us on Facebook