Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    MMDR ଆଇନ ପ୍ରତ୍ୟାହାର ଦାବି, ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ

    Share on :
    ajab-Image
    Date: Sep 19, 2026    Views: 3092

    ଭୁବନେଶ୍ବର: ସୁନ୍ଦରଗଡ଼ରୁ MMDR-୨୦୨୬କୁ ନେଇ ତେଜିଲା ରାଜନୈତିକ ଲଢ଼େଇ । ଖଣିଜ ସମ୍ପଦ, ଜମି, ଜଙ୍ଗଲ ଓ ରାଜ୍ୟର ଅଧିକାରକୁ କେନ୍ଦ୍ର କରି ଇଣ୍ଡି ମେଣ୍ଟର ବିଶାଳ ପ୍ରତିବାଦ ସମାବେଶରେ ସରକାର ବିରୋଧରେ ତୀବ୍ର ଆକ୍ରମଣ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସ MMDR ଆଇନ ପ୍ରତ୍ୟାହାର ଦାବି ସହ ଆଗାମୀ ଦିନରେ ୫୦ ହଜାର ଲୋକଙ୍କୁ ନେଇ ବିଧାନସଭା ଘେରାଉ ଏବଂ ଖଣି ବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

    AICC ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ ମଧ୍ୟ ଖଣିଜ ସମ୍ପଦ ଓ ସ୍ଥାନୀୟ ଲୋକଙ୍କ ଅଧିକାର ପ୍ରସଙ୍ଗ ଉଠାଇ ଆଇନ ବିରୋଧରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି । ତେବେ କଂଗ୍ରେସର ଏହି ଅଭିଯୋଗ ଓ ଚେତାବନୀ ମଧ୍ୟରେ MMDR-୨୦୨୬ର ପ୍ରକୃତ ଆଇନଗତ ପ୍ରଭାବ, ଓଡ଼ିଶାର ଖଣିଜ ରାଜସ୍ୱ ଓ ରାଜ୍ୟର ଅଧିକାର ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।

    MMDR-୨୦୨୬ ଆଇନ ବିରୋଧରେ କଂଗ୍ରେସର ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ପରିପେକ୍ଷୀରେ ସୁନ୍ଦରଗଡ଼ଠାରେ ଏକ ବିଶାଳ ପ୍ରତିବାଦ ସମାବେଶ କରାଯାଇଥିଲା । ସମାବେଶକୁ ସମ୍ବୋଧନ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, "ପୂର୍ବରୁ ବିଜେଡି ଲୁଟୁଥିଲା, ଏବେ ବିଜେପି ଲୁଟୁଛି । ସବୁବେଳେ ସାଧାରଣ ଜନତା ଲୁଟର ଶିକାର ହେଉଛି l କେବଳ କଂଗ୍ରେସ ହିଁ ଆପଣମାନଙ୍କୁ ସେବା କରିପାରିବ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯିଏ ରକ୍ତାକ୍ତ ହୋଇ ଜନତାଙ୍କ ପାଇଁ ସଂଗ୍ରାମ କରନ୍ତି, ଯିଏ ନିୟମଗିରି ପାହାଡ଼କୁ ବଞ୍ଚାଇଥିଲେ ତାଙ୍କ ନେତୃତ୍ଵରେ ହିଁ ଲୋକଙ୍କ ସରକାର ଗଠନ ହୋଇପାରିବ ।"

    ଭକ୍ତ ଚରଣ ଦାସ ଆହୁରି କହିଛନ୍ତି, "ଲୋକଙ୍କ ପ୍ରତି କେବଳ କଂଗ୍ରେସର ସମର୍ପଣ ଭାବ ଅଛି । ଜମି ଜଙ୍ଗଲ ଖଣିଜ ସମ୍ପଦ ଆମ ବାପ ଅଜାଙ୍କର । ହେଲେ ସରକାର ଲୋକଙ୍କୁ ଲୁଟ୍ କରୁଛନ୍ତି । ରକ୍ତ ଶୋଷଣ କରୁଛନ୍ତି । ଏମାନେ ସ୍ଵାଧୀନତା ସଂଗ୍ରାମରେ କୁଆଡ଼େ ଥିଲେ ? । ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଭୂମି ଜନତାଙ୍କ, ଦଳିତ ଭାଇ, ଆଦିବାସୀ ଓ ଗରିବଙ୍କ, ସେମାନଙ୍କ ଅଧିକାର ପୁଞ୍ଜିପତି ଛଡାଇ ନେଇ ପାରିବେନାହିଁ । ନିଜ ଅଧିକାର ପାଇଁ ସ୍ଵର ଉତ୍ତୋଳନ କରିବାକୁ ପଡ଼ିବ । ଶିକ୍ଷା ବ୍ୟବସ୍ଥା ଧ୍ବଂସ କରିସାରିଲେଣି, ଆମ ପିଲାମାନଙ୍କୁ ଗୋଲାମ ଓ ନିକମ୍ମା କରିବାକୁ ଚାହୁଁଛି ବିଜେପି ସରକାର । ଯେଉଁ ସରକାର ନିକମ୍ମା ସେଇ ସରକାର ବଦଳିବା ଦରକାର ।"

    ଭକ୍ତ ଚରଣ ଦାସ ଏହା ମଧ୍ୟ କହିଛନ୍ତି, "ଜମି ଓ ଜଙ୍ଗଲକୁ ବଞ୍ଚାଇବାକୁ ହେଲେ ସଂଗ୍ରାମ କରିବାକୁ ପଡିବ ନଚେତ୍ ଦିନ ଆସିବ ଆପଣଙ୍କ ଅଧିକାର ସବୁ ହରାଇ ବସିବେ । ପାଖରେ କିଛି ରହିବ ନାହିଁ । ଆମର ଟଙ୍କାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ପାଇଁ ମାସେ କାଳ ଯାକଜମକରେ ଦୀପ ଜଳାଇବା ପାଇଁ ସରକାର କହୁଛନ୍ତି, ଏଠାରେ ଲୋକ ଜଳ ଜଙ୍ଗଲ ଜମି ହରାଇ କରୁଣ ବିସ୍ଥାପିତ ହେଉଥିବାବେଳେ ଜନ୍ମଦିନ ପାଳନ କରିବା ଅତ୍ୟନ୍ତ ଦୁଃଖଦ । ଆଗାମୀ ଦିନରେ ୫୦ ହଜାର ଲୋକଙ୍କ ସହ ବିଧାନସଭା ଘେରାଉ କରାଯିବ । ସେଦିନ ଘୋଷଣା କରିବୁ ରାଜ୍ୟର କୌଣସି ଖଣି ଚାଲିବ ନାହିଁ ।"


    ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ନିଜ ବକ୍ତବ୍ୟରେ କହିଛନ୍ତି, "ମୁଁ ଗାନ୍ଧୀ ଓ ସର୍ଦ୍ଦାରଙ୍କ ଗୁଜୁରାଟରୁ ଆସିଛି, ଦୁଇ ଲୁଟେରାଙ୍କ ଗୁଜୁରାଟରୁ ଆସିନି । ଆପଣଙ୍କ ରାଜ୍ୟରୁ ବାହାର ରାଜ୍ୟକୁ ଦାଦନ ଯାଆନ୍ତି କାରଣ ଆପଣଙ୍କ ଭୂମିତଳେ ବହୁମୂଲ୍ୟ ଖଣିଜ ସମ୍ପଦ ଅଛି । ପୁଞ୍ଜିପତି ଆପଣଙ୍କ ଜମିରୁ ଆପଣଙ୍କୁ ବିତାଡିତ କରି ଦାଦନ ରୂପେ ପଠାଇବାକୁ ବାଧ୍ୟ କରୁଛନ୍ତି । ଦୁଇ ଗୁଜୁରାଟି ଦେଶକୁ ବିକୁଛନ୍ତି ଓ ଦୁଇ ଗୁଜୁରାଟି କିଣୁଛନ୍ତି "ହମ ଦୋ ହମାରେ ଦୋ, ଦେଶକୋ ବେଚ ଦୋ" ଏପରି ଚଲାଇଛନ୍ତି । ଆପଣଙ୍କ ରାଜ୍ୟର ୧୦ ହଜାର କୋଟି ଖଣି ଟଙ୍କା ଲୁଟିବାକୁ ସୁଦୂର ଦିଲ୍ଲୀରେ ବସିଛନ୍ତି ଓ ରାଜ୍ୟରେ ଦୁଇଜଣ କାଠ ପିତୁଳା ସ୍ଥାପନ କରିଛନ୍ତି । ମୁଁ ଆପଣ ମାନଙ୍କୁ ଆଗ୍ରହ କରୁଛି ନିଜର ଓ ନିଜ ଭବିଷ୍ୟତର ବଂଶଧରଙ୍କ ପ୍ରତି ଚିନ୍ତା କରନ୍ତୁ, ନିଜ ଅଧିକାର ପାଇଁ ଏହି ଆଇନର ପ୍ରବଳ ବିରୋଧ କରନ୍ତୁ ।"

    ସୁନ୍ଦରଗଡ଼ରୁ ଏମଏମଡିଆର-୨୦୨୬ ବିରୋଧରେ ଇଣ୍ଡିଆ ମେଣ୍ଟର ଏହି ଶକ୍ତି ପ୍ରଦର୍ଶନ ସହ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି କଂଗ୍ରେସ । ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର, ରାଜସ୍ୱ ଓ ଜଳ-ଜଙ୍ଗଲ-ଜମିର ସୁରକ୍ଷାକୁ ନେଇ ଉଠିଥିବା ଏହି ବିବାଦ ଏବେ ରାଜନୈତିକ ଲଢ଼େଇର ରୂପ ନେଇଛି । ଆଗକୁ ୫୦ ହଜାର ଲୋକଙ୍କୁ ନେଇ ବିଧାନସଭା ଘେରାଉ ଏବଂ ଖଣି ବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛି ଦଳ ।

    Maximum 500 characters

    ରାଜନୀତି View all

    Find Us on Facebook