ମୁଖ୍ୟ ଖବର
ନୂଆଦିଲ୍ଲୀ: ମିସ୍ ୱାର୍ଲଡ ପ୍ରତିଯୋଗିତାକୁ ନୂଆ ବିଜେତା ମିଳିଯାଇଛି । ୭୩ତମ ମିସ୍ ୱାର୍ଲଡ ବିଜେତା ବନିଛନ୍ତି ଡୋମିନିକାନ ରିପବ୍ଲିକର ମଡେଲ୍ ଜୋହେରୀ ମୋଲା ଡୋମିଙ୍ଗୁଏଜ । ସ୍ପେନର ମଡେଲ୍ ଏଲିଜାବେଥ ରେୟନେସ ପ୍ରଥମ ରନର୍ସ ଅପ୍ ଏବଂ ମାଲେସିଆର ତାନୁସିୟା ଚେଟ୍ଟୀ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ।
୨୪ ବର୍ଷୀୟା ଜୋହେରୀ ମୋଲାଙ୍କୁ ଗତବର୍ଷର ମିସ୍ ୱାର୍ଲଡ ବିଜୟିନୀ ଥାଇଲାଣ୍ଡର ଓପଲ୍ ସୁଚାତା ଚୁଆଙ୍ଗସରୀ ‘ମିସ୍ ୱାର୍ଲଡ’ ମୁକୁଟ ପିନ୍ଧାଇଛନ୍ତି । ଜୋହେରୀଙ୍କୁ ଓପଲ୍ ଆଲିଙ୍ଗନ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଜୋହେରୀ ଖୁସିରେ କାନ୍ଦି ପକାଇଥିଲେ । ଓପଲ୍ ନିଜ ଦେଶର ପ୍ରଥମ ପ୍ରତିଯୋଗୀ ଥିଲେ, ଯେ କି ଗତବର୍ଷ ଆୟୋଜିତ ୭୨ତମ ମିସ୍ ୱାର୍ଲଡ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।
ମିସ୍ ୱାର୍ଲଡ ୨୦୨୬ ପ୍ରତିଯୋଗିତାରେ ଭାରତ ତରଫରୁ ମଧ୍ୟପ୍ରଦେଶର ନିକିତା ପୋରୱାଲ ଅଂଶଗ୍ରହଣ କରିଥିଲେ । ଶ୍ରେଷ୍ଠ ୪୦ ପର୍ଯ୍ୟନ୍ତ ସେ ନିଜ ସ୍ଥାନ ସହଜରେ ବନାଇଥିଲେ । କିନ୍ତୁ ଶ୍ରେଷ୍ଠ ୨୦ରେ ପ୍ରବେଶ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା । ତାଙ୍କୁ ଏଲିମିନେଟ୍ କରି ଦିଆଯାଇଥିଲା । ତାଙ୍କ ନାମ ଯେବେଠାରୁ ମିସ୍ ୱାର୍ଲଡ ତାଲିକାରେ ସାମିଲ ହୋଇଥିଲା, ସେବେଠାରୁ ଲୋକମାନେ ତାଙ୍କୁ ନେଇ ବଡ଼ ଆଶା ରଖିଥିଲେ । ସେ ଗ୍ଲୋବାଲ୍ ପ୍ଲାଟଫର୍ମରେ ସଫଳତା ପାଇବେ ବୋଲି ଅନେକ ଭାବିଥିଲେ । କିନ୍ତୁ ସେମାନଙ୍କ ଆଶା ମଉଳି ଯାଇଛି । ମିସ୍ ୱାର୍ଲଡ ବିୟୁଟି ପେଜେଣ୍ଟର ଗ୍ରାଣ୍ଡ ଫିନାଲେ ଶନିବାର ଭିଏତନାମର ନା ଟ୍ରାଙ୍ଗ୍ଠାରେ ଆୟୋଜିତ ହୋଇଥିଲା । ଏଥର ପ୍ରତିଯୋଗିତାରେ ୧୧୦ ଦେଶର ସୁନ୍ଦରୀ ମଡେଲ୍ ଅଂଶଗ୍ରହଣ କରିଥିଲେ । ଅନେକ ସପ୍ତାହ ଧରି ଏହି ପ୍ରତିଯୋଗିତା ଚାଲିଥିଲା । ବିଭିନ୍ନ ଚ୍ୟାଲେଞ୍ଜ୍ ଏବଂ ସାଂସ୍କୃତିକ ଇଭେଣ୍ଟରେ ସାମିଲ ହୋଇ ସମସ୍ତେ ପାରୁ ପର୍ଯ୍ୟନ୍ତ ନିଜ ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ । ଶେଷରେ ଜୋହେରୀ ମୋଲାଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି ।
ମିସ୍ ୱାର୍ଲ୍ଡ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଜାହେରୀ ମୋଲା ଜଣେ ସମର୍ପିତ ଶିକ୍ଷାବିତ୍, ସାମାଜିକ ପ୍ରବକ୍ତା ଏବଂ ସଂସ୍କାରକ । ସେ ‘ୟୁନିଭର୍ସିଡାଡ୍ ଆଇବେରୋଆମେରିକାନା’ରୁ ବିଜନେସ ମ୍ୟାନେଜମେଣ୍ଟ ଆଣ୍ଡ ଆଡମିନିଷ୍ଟ୍ରେସନରେ ଡିଗ୍ରୀ ହାସଲ କରିଛନ୍ତି । ସେ ‘ଭଏସେସ୍ ଅଫ୍ ଟୁମୋରୋ'ର ସଂସ୍ଥାପକ ଏବଂ ଅଧ୍ୟକ୍ଷା, ଯାହା ଅବହେଳିତ ସମ୍ପ୍ରଦାୟର ଶିଶୁ ଏବଂ ଯୁବପିଢ଼ିଙ୍କ ପାଇଁ ଇଂରାଜୀ ଶିକ୍ଷାର ସୁଯୋଗ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରେ । ଜଣେ ଶିକ୍ଷୟିତ୍ରୀ ଭାବେ ସେ ସମାଲୋଚନାତ୍ମକ ଚିନ୍ତନ ଏବଂ ସାମଗ୍ରିକ ବିକାଶକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇ ଇଂରାଜୀରେ ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ପଢ଼ାଇ ଥାଆନ୍ତି ।
ତାଙ୍କର କାର୍ଯ୍ୟ ଗଣମାଧ୍ୟମ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି । ମୋଲା ୟୁନିଭିଜନ୍ ନ୍ୟୁୟର୍କର ‘ଭେଣ୍ଟାନା ଏ କ୍ୱିସ୍କେୟା' ପାଇଁ ଜଣେ ସାମ୍ୱାଦିକା ଭାବେ କାର୍ଯ୍ୟ କରିଛନ୍ତି । ସାମ୍ବାଦିକ ଭାବେ ସେ ଡୋମିନିକାନ୍ ସଂସ୍କୃତି, ସାମାଜିକ ସମସ୍ୟା ଏବଂ ସମ୍ପ୍ରଦାୟର ଘଟଣାଗୁଡ଼ିକୁ ସାମ୍ନାକୁ ଆଣିଛନ୍ତି । ସେ ଜଣେ ପେସାଦାର ମଡେଲ୍ ଏବଂ ‘ଗୟା ଗିଭ୍ସ'ର ଆମ୍ୱାସଡର ମଧ୍ୟ । ଶିକ୍ଷା, ଗଣମାଧ୍ୟମ ଏବଂ ସାମାଜିକ ପଦକ୍ଷେପଗୁଡ଼ିକରେ ତାଙ୍କର କାର୍ଯ୍ୟ ମାନବୀୟ ସମ୍ପର୍କ, ସହାନୁଭୂତି ଏବଂ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଆଧାରିତ ।
ତେବେ ଭାରତ ପାଇଁ ଶେଷଥର ମିସ୍ ୱାର୍ଲଡ ମୁକୁଟ ମାନୁଷୀ ଛିଲ୍ଲର ହାସଲ କରିଥିଲେ । ଏହାପରେ ସେ ବଲିଉଡରେ ସାମିଲ ହୋଇ ବେଶ୍ ନାଁ କମାଇଥିଲେ । ମାନୁଷୀ ୨୦୧୭ରେ ମିସ୍ ୱାର୍ଲଡ ବିଜେତା ହୋଇଥିଲେ । ତାଙ୍କ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ୨୦୦୦ରେ ମିସ୍ ୱାର୍ଲଡ ବିୟୁଟି ପେଜେଣ୍ଟ ଜିତିଥିଲେ । ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ (୧୯୯୪), ୟୁକ୍ତା ମୁଖୀ (୧୯୯୯), ଡାଏନା ହେଡେନ (୧୯୯୭) ଏବଂ ରୀଟା ଫାରିୟା (୧୯୬୬) ମିସ୍ ୱାର୍ଲଡ ବିଜୟିନୀ ରହିଥିଲେ । ୧୯୯୯ ଏବଂ ୨୦୦୦ରେ ଭାରତ ପ୍ରଥମ ଥର ପାଇଁ ଲଗାତର ଦୁଇଟି ବର୍ଷରେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲା ।
Comments ସମସ୍ତ ମତାମତ