ମୁଖ୍ୟ ଖବର
ଭୁବନେଶ୍ୱର: ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଭବିଷ୍ୟତ । 25 ବର୍ଷ କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାର ଶେଷ ପାଳିରେ ଲୋକଙ୍କୁ ଦେଖାଇଥିଲେ ମେଟ୍ରୋ ସ୍ୱପ୍ନ । ଅର୍ଥାତ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଚାଲିବ ମେଟ୍ରୋ ଟ୍ରେନ । ଲୋକମାନଙ୍କ ଗମନାଗମନର ସୁବିଧା ପାଇଁ ତଥା ଉଭୟ ସହରର ପରିବେଶକୁ ଆକୃଷ୍ଟ କରିବା ଏବଂ ଖାସକରି ବଢୁଥିବା ଜନସଂଖ୍ୟାକୁ ଗୁରୁତ୍ୱ ଦେଇ ତାର ଆବଶ୍ୟକତାକୁ ପୂରଣ କରିବା ପାଇଁ ମେଟ୍ରୋ ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନ ସରକାର । କିନ୍ତୁ ଏବେ କ୍ଷମତାରେ ଥିବା ଡବଲ ଇଞ୍ଜିନ ସରକାର ପ୍ରକଳ୍ପର ସଠିକ ରୂପାୟନ ଉପରେ ପ୍ରଶ୍ନ ଉଠାଇ ଏହି ପ୍ରକଳ୍ପ ଚୁକ୍ତି ବାତିଲ କରିଛନ୍ତି ଯାହାକୁ ନେଇ ମୁଣ୍ଡ ଟେକିଛି ରାଜନୀତି । ବିରୋଧୀ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କହିଲେ, ମେଟ୍ରୋ ଏବେ ହେବନି ପରେ ହେବ ।
ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିରୋଧୀଙ୍କୁ କାଉଣ୍ଟର କରି କହିଛନ୍ତି, "ଆଗାମୀ ଦିନରେ ରାଜ୍ୟରେ ହେବ ମେଟ୍ରୋ ପ୍ରକଳ୍ପ । ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଦେଶରେ ଯେଉଁଠି ମେଟ୍ରୋ ହୋଇଛି ସେ ସବୁ ଜାଗାରେ କେନ୍ଦ୍ର ସରକାରଙ୍କ ସହଭାଗିତାରେ ହୋଇଛି । କିନ୍ତୁ ପୂର୍ବ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କ ସହଭାଗିତା ନ ନେଇ ନିଜେ ରାଜ୍ୟ ପ୍ଲାନରେ କରିବାକୁ ବସିଥିଲେ । ତେଣୁ ମେଟ୍ରୋର ପ୍ରକଳ୍ପ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଫିଜିବୁଲ ନଥିଲା । ତେଣୁ ବର୍ତ୍ତମାନର କମ୍ପାନୀ ଗୋଟିଏ କମ୍ପୋଜିଟ ମୋବିଲିଟିର ପ୍ଲାନ୍ ତିଆରି କରୁଛନ୍ତି ଓ ମେଟ୍ରୋ ଆଜି ଦିନରେ ସରକାରଙ୍କ ପାଇଁ ଏକ ଲସ୍ ମେକିଙ୍ଗ ପ୍ରୋଜେକ୍ଟ ହୋଇ ପରେ କିନ୍ତୁ ଭବିଷ୍ୟତ ପାଇଁ ସରକାର ଗମ୍ଭୀର ଅଛନ୍ତି ଓ ଚିନ୍ତା ବି କରୁଛନ୍ତି।"
ମନ୍ତ୍ରୀ କହିଛନ୍ତି, ତେବେ କ୍ଷତି ପୁରଣକୁ ନଜର କଲେ ପ୍ରତି ବର୍ଷ ୧୦୦୦ ରୁ ୨୦୦୦ କୋଟି କ୍ଷତି ହେବା ଅପେକ୍ଷା ବର୍ତ୍ତମାନ ସେ ପ୍ରୋଜେକ୍ଟକୁ ସେଇଠି ବନ୍ଦ କରି ଦେବା ଉଚିତ୍ । ପୂର୍ବ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ବର୍ତ୍ତମାନର ସରକାରଙ୍କୁ ଅଡୁଆରେ ପକାଉଛି । ମେଟ୍ରୋ ଏବେ ବନ୍ଦ ହୋଇ ଥାଇପାରେ କିନ୍ତୁ ଭବିଷ୍ୟତରେ ନିଶ୍ଚୟ ହେବ । ମନ୍ତ୍ରୀ ଅଧିକ କହିଥିଲେ ଯେ, ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଏବଂ ଉକ୍ତ ସହରୀ ପରିବହନ ଯୋଜନାର ରିପୋର୍ଟ ମିଳିବା ପରେ ସରକାର ଏହି ପ୍ରକଳ୍ପ ଉପରେ ଅନ୍ତିମ ସିଦ୍ଧାନ୍ତ ନେବେ ।
Comments ସମସ୍ତ ମତାମତ