Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    Share on :
    ajab-Image
    Date: Sep 26, 2026    Views: 2528

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି ତାଙ୍କ ବିନା ଅନୁମତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହ ଯୋଡି ଭାଇରାଲ କରିବା ଅଭିଯୋଗରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ଦିନକ ତଳେ ଏହି ମାମଲାକୁ ନେଇ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ମୋଦୀ ଓ ମହିଳାଙ୍କ ସହ ଜଡ଼ିତ ସମସ୍ତ ଆପତ୍ତିଜନକ ଫଟୋ ଓ ଲିଙ୍କ ଗୁଡ଼ିକୁ ନିଜ ପ୍ଲାଟଫର୍ମରୁ ହଟାଇବା ପାଇଁ ସାମାଜିକ ଗଣମାଧ୍ୟମ କମ୍ପାନୀ ମେଟାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମହିଳାଙ୍କୁ ସୁରକ୍ଷା ଯୋଗାଇବାକୁ ନିର୍ଦେଶ ଦେଇ କୋର୍ଟ ଦିଲ୍ଲୀ ପୁଲିସକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହି ମାମଲାକୁ ନେଇ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି।
    ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗିରିଶ କାଠପାଳିଆ କହିଛନ୍ତି ଯେ ଏହି ମାମଲା ଅସାଧାରଣ ସ୍ଥିତି ସୃଷ୍ଟି କରିଛି। ଏହା କେବଳ ଜଣେ ମହିଳାଙ୍କର ନୁହେଁ, ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ପ୍ରସଙ୍ଗ। ଯଦି ପୁଲିସ ସମ୍ବେଦନଶୀଳ ନ ହୁଏ, ତେବେ ତାହା କୋର୍ଟ ନିଶ୍ଚିତ କରିବେ। ଏହି ମାମଲାରେ ଆବେଦନକାରୀ କ୍ଷତିପୂରଣ ମାଗିପାରିବେ। ଅକ୍ଟୋବର ୧୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
    ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କର ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି ବ୍ୟାନରରେ ଲଗାଯାଇଥିଲା। ବିକ୍ଷୋଭକାରୀଙ୍କ ସାମ୍ନାରେ ରଖାଯାଇ ଇନଷ୍ଟାରେ ଓ ଅଶ୍ଳୀଳ ସାଇଟରେ ମଧ୍ୟ ସେୟାର କରାଯାଇଥିଲା। ଏହା ପରଠାରୁ ତାଙ୍କୁ ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ ଆକ୍ରମଣ ଓ ହତ୍ୟା ଧମକ ମିଳୁଛି। ଏଥିପାଇଁ ସେ ଘରୁ ବାହାରି ପାରୁନାହାନ୍ତି। ଏ ନେଇ ସେ ସିଜେପି ନେତା ଦୀପକେ, ସୌରଭ ଦାସଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ ଏତଲାରେ କାହାର ନାମ ନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook