ମୁଖ୍ୟ ଖବର
ବୁଏନ୍ସ ଆଇରିସ୍: ୨୦୨୬ରେ ଆମେରିକା, ମେକ୍ସିକୋ ଓ କାନାଡାରେ ଆୟୋଜନ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍ରେ ଅଂଶ ଗ୍ରହଣ କରିବା ନେଇ ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ମୁହଁ ଖୋଲିଛନ୍ତି। ଏହି ବିଶ୍ୱକପ୍ ଖେଳିବା ନେଇ ଚିନ୍ତା କରୁନାହିଁ ବୋଲି କହିଲେ ମୁଁ ମିଛ କହିବି ବୋଲି ମେସି କହିଛନ୍ତି। ଅର୍ଥାତ ପରୋକ୍ଷରେ ସେ ଆଗାମୀ ବିଶ୍ୱକପ୍ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି। ଆଗାମୀ ଫିଫା ବିଶ୍ୱକପ୍ ଆରମ୍ଭ ହେବାକୁ ଆହୁରି ୧୪ ମାସ ବାକି ରହିଛି। ମେସି ଆର୍ଜେଣ୍ଟିନା ତରଫରୁ ଏହି ବିଶ୍ୱକପ୍ ଖେଳିବା ନେଇ ଚର୍ଚ୍ଚା ଦୀର୍ଘଦିନରୁ ଚାଲି ଆସୁଛି। ୩୭ ବର୍ଷୀୟ ମେସି ଏପର୍ୟ୍ୟନ୍ତ ମୋଟ୍ ଉପରେ ୧୦୯୩ ମ୍ୟାଚ୍ ଖେଳିଛନ୍ତି। ସେ ଆର୍ଜେଣ୍ଟିନା ତରଫରୁ ୧୯୧ଟି ମ୍ୟାଚ୍ ଖେଳିସାରିଛନ୍ତି।
କିନ୍ତୁ ଆଗାମୀ ବିଶ୍ୱକପ୍ ଖେଳିବା ତାଙ୍କ ଫିଟ୍ନେସ ଉପରେ ନିର୍ଭର କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ବର୍ଷ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏବେ ସେ ଇଣ୍ଟର ମିଆମି ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି ଓ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି। ଦେଢ଼ ବର୍ଷ ହେବ ସେ ବାରମ୍ବାର ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ମେସି ମୋଟ୍ ଉପରେ ୭ଟି ମ୍ୟାଚ୍ ଖେଳି ୩ଟି ଗୋଲ ଦେବା ସହ ୨ଟି ଆସିଷ୍ଟ କରିଛନ୍ତି। ମେସିଙ୍କ ପ୍ରଦର୍ଶନ ବଳରେ ମିଆମି ୨୦୨୪ରେ ସପୋଟର୍ସ ସିଲ୍ଡ ହାସଲ କରିଥିଲା। କିନ୍ତୁ ଗତ ସେସନରେ ମିଆମି କୌରସି ଟ୍ରଫି ହାସଲ କରିବାରେ ସମର୍ଥ ହୋଇନାହିଁ। ତେଣୁ ବିଶ୍ୱକପ୍ ଖେଳିବା ନେଇ ଏବେଠାରୁ କିଛି କହିବା କଷ୍ଟକର। ତେଣୁ ସବୁ କିଛି ଫିଟ୍ନେସ୍ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ମେସି ୨୦୨୪ ଅକ୍ଟେବାରରେ ଶେଷଥର ପାଇଁ ଆର୍ଜେଣ୍ଟିନା ତରଫରୁ ଗୋଲ ସ୍କୋର କରିଥିଲେ। ବିଶ୍ୱକପ୍ ଯୋଗ୍ୟତା ପର୍ୟ୍ୟାୟ ବିପକ୍ଷ ମ୍ୟାଚ୍ରେ ସେ ବଲିଭିଆ ବିପକ୍ଷରେ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଆଘାତ ସମସ୍ୟା ପାଇଁ ସେ ଗତ ୫ ମାସ ହେବ ଆର୍ଜେଣ୍ଟିନା ତରଫରୁ କୌଣସି ମ୍ୟାଚ୍ ଖେଳିନାହାନ୍ତି। ଆଉ ଦୁଇମାସ ପରେ ତାଙ୍କୁ ୩୮ ବର୍ଷ ହେବ ଓ ବିଶ୍ୱକପ୍ ବେଳକୁ ୩୯ ବର୍ଷରେ ପଦାର୍ପଣ କରିବେ।
Comments ସମସ୍ତ ମତାମତ