ମୁଖ୍ୟ ଖବର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ‘ମେଲୋଡ଼ି’ ଟଫିର ଏକ ପ୍ୟାକେଟ୍ ଉପହାର ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଦେଶ ବିଦେଶରେ ‘ମେଲୋଡି’ ଟଫିର ଚାହିଦାରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଫଳରେ ପାର୍ଲେ ପ୍ରଡକ୍ଟ୍ସକୁ ଏହାର ଉତ୍ପାଦନ ବଢ଼ାଇବାକୁ ପଡ଼ିଛି । କମ୍ପାନିର ଉପସଭାପତି ମୟାଙ୍କ ଶାହ ଏନେଇ ସୂଚନା ଦେଇଛନ୍ତି । ଏକ ଗଣମାଧ୍ୟମ ସାକ୍ଷାତ୍କାରରେ ଶାହ କହିଛନ୍ତି ଯେ, ଏହି ମୁହୂର୍ତ୍ତ ବ୍ରାଣ୍ଡର ଇତିହାସରେ ସବୁଠୁ ବଡ଼ କ୍ୟାମ୍ପେନ୍ । କମ୍ପାନି ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସ୍ୱଦେଶୀ ବ୍ରାଣ୍ଡ ସମର୍ଥନକୁ ଆଗକୁ ବଢ଼ାଇବ । ପାର୍ଲେ ପ୍ରଡକ୍ଟସ୍ ଏବେ ବିଶ୍ୱବ୍ୟାପୀ ମେଲୋଡିର ଉପସ୍ଥିତିକୁ ଆହୁରି ମଜଭୂତ କରିବା ପାଇଁ କାର୍ଯ୍ୟ କରିବ । ସମ୍ପ୍ରତି ମେଲୋଡି ଟଫି ବିଶ୍ୱର ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ଉପଲବ୍ଧ । ଗ୍ରାହକ ଏବଂ ବିତରକଙ୍କ ପକ୍ଷରୁ ମିଳିଥିବା ରେସ୍ପନ୍ସକୁ ନେଇ ମୟାଙ୍କ ଶାହ କହିଛନ୍ତି ଯେ, ବିତରକମାନଙ୍କଠାରୁ ପ୍ରାରମ୍ଭିକ ପ୍ରତିକ୍ରିୟା ମିଳିଛି। ସେମାନଙ୍କ ମୁତାବକ ବଜାରରେ ହଠାତ୍ ଏହି ଟଫିର ଚାହିଦା ବଡ଼ ମାତ୍ରାରେ ବୃଦ୍ଧି ପାଇଛି।
କ୍ୱିକ୍ କମର୍ସ ଏବଂ ଇ-କମର୍ସ ଚ୍ୟାନେଲଗୁଡ଼ିକରେ ବିକ୍ରିରେ ତତ୍କାଳ ବୃଦ୍ଧି ଘଟିଛି । କିଛି ସାଇଟରେ ଷ୍ଟକ୍ ଶେଷ ହୋଇଯାଇଥିଲା । ବୁଧବାର ସକାଳରୁ ହିଁ କ୍ୱିକ୍ କମର୍ସ ପ୍ଲାଟ୍ଫର୍ମଗୁଡ଼ିକରେ ‘ମେଲୋଡି’ର ସର୍ଚ୍ଚ ବଢ଼ିଯାଇଥିଲା । କମ୍ପାନି ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଉତ୍ପାଦନ ବଢ଼ାଇଦେଇଛି । ଶାହ କହିଛନ୍ତି ଯେ, ଭାରତ ସହ ଏବେ ବିଦେଶରୁ ବି ବଡ଼ ମାତ୍ରାରେ ଅର୍ଡର ଆସୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କର ମେଲୋନିଙ୍କୁ ‘ମେଲୋଡି’ ପ୍ୟାକେଟ୍ ଉପହାରକୁ ନେଇ ଶାହ କହିଛନ୍ତି ଯେ, ଏହା ଆମ ପାଇଁ ଗର୍ବର ବିଷୟ।
ସେପଟେ ମେଲୋଡି ଚକୋଲେଟ୍ ତିଆରି କରୁଥିବା ଅସଲି ପାର୍ଲେ କମ୍ପାନୀ ଷ୍ଟକ୍ ମାର୍କେଟ୍ ରେ ନାହିଁ। ହେଲେ ପାର୍ଲେ ନା କନଫ୍ୟୁଜନରୁ ପାର୍ଲେ ଇଣ୍ଡଷ୍ଟ୍ରିଜର ସେୟାର ତୀବ୍ର ଗତିରେ ବଢିବାରେ ଲାଗିଛି। ତିନି ଦିନରେ କମ୍ପାନୀ ବମ୍ପର ବ୍ୟବସାୟ କରିଛି। ନିବେଶକ ମେଲୋଡିକୁ ପାର୍ଲେ ପ୍ରଡକ୍ଟ ଭାବି ପାର୍ଲେ ଇଣ୍ଡଷ୍ଟ୍ରିଜ୍ ର ସେୟାର କିଣୁଛନ୍ତି। ଯେଉଁଥିପାଇଁ କମ୍ପାନୀର ବଜାର ପୁଞ୍ଜି ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ପାର୍ଲେ ଇଣ୍ଡଷ୍ଟ୍ରିଜ୍ ର ସେୟାର ଶୁକ୍ରବାର ୪.୯୦% ବଢି ୫.୭୮ ଟଙ୍କାରେ ପହଞ୍ଚିଥିଲା।୨୦୨୫ ମେ ମାସରେ ଏହି ଷ୍ଟକର ୫୨ ସପ୍ତାହର ସର୍ବୋଚ୍ଚ ମୂଲ୍ୟ ୧୭.୪୪ ଟଙ୍କା ଥିଲା। କମ୍ପାନୀର ବଜାର ପୁଞ୍ଜି ବର୍ତ୍ତମାନ ପ୍ରାୟ ୨୮.୨୩ କୋଟି ଟଙ୍କାରେ ପହଞ୍ଚିଛି। ତିନି ଦିନ ପୂର୍ବେ ଏହାର ବଜାର ପୁଞ୍ଜି ୨୫ କୋଟି ଟଙ୍କାରୁ ବି କମ୍ ଥିଲା। ନିବେଶକମାନେ ମାତ୍ର ତିନି ଦିନରେ ଏହି କମ୍ପାନୀରେ ନିବେଶ କରି ୩ କୋଟିରୁ ଅଧିକ ରୋଜଗାର କରିଛନ୍ତି।
Comments ସମସ୍ତ ମତାମତ