Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫସଲ ବୀମା ସମନ୍ୱୟ କମିଟି ବୈଠକ

    Share on :
    ajab-Image
    Date: Jul 3, 2026    Views: 3301

    ଭୁବନେଶ୍ୱର: ଲୋକସେବା ଭବନଠାରେ ୬୪ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି (State Level Crop Insurance Coordination Committee- SLCCCI) ବୈଠକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଖରିଫ-୨୦୨୬ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା ହୋଇଛି । ରାଜ୍ୟରେ ପ୍ରଚଳିତ ୬୦:୧୩୦ କପ୍ ଓ କ୍ୟାପ୍ ମଡେଲ ଏବଂ ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ଉପରେ ବିସ୍ତୃତ ଆଲୋଚନା ହୋଇଛି ।ବୈଠକରେ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଖରିଫ୍ - ୨୦୨୬ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୂର୍ବପରି ଜାରି ରଖିବା, ରାଜ୍ୟରେ ପ୍ରଚଳିତ ୬୦:୧୩୦ କପ୍ ଓ କ୍ୟାପ୍ ମଡେଲ ଏବଂ ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ଉପରେ ଏକ ବିସ୍ତୃତ ଆଲୋଚନା ହୋଇଛି । ପାଣିପାଗ ସୂଚନା ନେଟୱାର୍କ ଏବଂ ତଥ୍ୟ ପ୍ରଣାଳୀ ପ୍ରକଳ୍ପ ଅଧୀନରେ ରାଜ୍ୟରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ବର୍ଷା ପରିମାପକ ସ୍ଥାପନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଛି । ଉପଯୁକ୍ତ ସ୍ଥାନ ଚିହ୍ନଟ ପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଧିକ ଦକ୍ଷ ଓ ସ୍ୱଚ୍ଛ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ ବା ଏସ୍‌ପିଏମ୍‌ୟୁ ଗଠନ କରାଯାଇଛି । ଏହି ୟୁନିଟରେ ଷ୍ଟେଟ ପ୍ରୋଜେକ୍ଟ ଲିଡ୍, ଆଇଇସି ବିଶେଷଜ୍ଞ, ଜିଆଇଏସ ଓ ସଫ୍ଟୱେର ବିଶେଷଜ୍ଞ, କ୍ଷମତା ବିକାଶ ବିଶେଷଜ୍ଞ ଏବଂ କ୍ରୟ ବିଶେଷଜ୍ଞଙ୍କ ସମେତ ଏକ ଦକ୍ଷ ଟିମ୍ କାର୍ଯ୍ୟ କରୁଛି । ଏହି ୟୁନିଟ ଯୋଜନାର ପର୍ଯ୍ୟବେକ୍ଷଣ, ଡିଜିଟାଲ ପ୍ଲାଟଫର୍ମ ପରିଚାଳନା, ସଚେତନତା କାର୍ଯ୍ୟକ୍ରମ, ତଥ୍ୟ ପରିଚାଳନା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଭଳି କାର୍ଯ୍ୟକୁ ସୁଦୃଢ଼ କରୁଛି । ବୈଠକରେ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟର କାର୍ଯ୍ୟକୁ ଅବ୍ୟାହତ ରଖିବା ସହ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶାଳୟ ଏବଂ ସମବାୟ ବିଭାଗକୁ ଆବଶ୍ୟକ ଆର୍ଥିକ ସହାୟତା ଜାରି ରଖିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି ।ଫସଲ ବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଏଗ୍ରିଷ୍ଟାକ ଓ କିଷାନ କ୍ରେଡିଟ କାର୍ଡଧାରୀଙ୍କ ଶତ ପ୍ରତିଶତ ଅନ୍ତର୍ଭୁକ୍ତି, ଡିଜିଟାଲ କ୍ରପ ସର୍ଭେର ବ୍ୟବହାର, ଫସଲ କଟା ପରୀକ୍ଷଣ ତଥ୍ୟର ଶତ ପ୍ରତିଶତ ସଂଗ୍ରହ ଏବଂ ପ୍ରଯୁକ୍ତିଭିତ୍ତିକ ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଇଛି ।ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ସମବାୟ ସମିତି ନିବନ୍ଧକ ମନୀଷ ଅଗ୍ରୱାଲ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡକ୍ଟର ବିଜୟ ଭୂଷଣ ନନ୍ଦ, ଓରସାକର ମୁଖ୍ୟ ନିର୍ବାହୀ ରଶ୍ମିତା ପଣ୍ଡାଙ୍କ ସମେତ ବିଭିନ୍ନ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook