Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ୨୮ତମ ବୋର୍ଡ ବୈଠକ

    Share on :
    ajab-Image
    Date: Feb 27, 2026    Views: 3600

    ଭୁବନେଶ୍ବର:ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ (OWSSB)ର ୨୮ତମ ବୋର୍ଡ ବୈଠକରେ ବୃହତ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ଅନୁମୋଦିତ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନର ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା OWSSB ଅଧ୍ୟକ୍ଷ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ୨୮ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସେବା, ଆର୍ଥିକ ଏବଂ ପ୍ରଶାସନିକ ସଂସ୍କାର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଶେଷ କରି ବୋର୍ଡ କ୍ୟାଡର ଅଧୀନରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କୁ PHE କ୍ୟାଡର ଅନୁରୂପ ପଦୋନ୍ନତି ସୁବିଧା ପ୍ରଦାନ କରିବାକୁ ଅନୁମୋଦନ ମିଳିଛି। ଏହା ସହିତ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ପାହ୍ୟାରେ ଥିବା ଡେପୁଟି ପ୍ରକଳ୍ପ ଇଞ୍ଜିନିୟରମାନଙ୍କୁ ‘ଅତିରିକ୍ତ ପ୍ରକଳ୍ପ ଇଞ୍ଜିନିୟର’ ଭାବେ ପୁନଃ ନାମିତ କରାଯିବା ସହ ସେମାନଙ୍କ ପାଇଁ ଏକ ସ୍ୱଚ୍ଛ ପଦୋନ୍ନତି ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଇଞ୍ଜିନିୟରମାନେ ସହରୀ ଭିତ୍ତିଭୂମିର ମେରୁଦଣ୍ଡ ହୋଇଥିବାରୁ ସେମାନଙ୍କ ପାଇଁ ଉଚିତ ସେବା ସର୍ତ୍ତାବଳୀ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା।

    କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ଦୈନିକ ମଜୁରିଆ (DLR) ମାନଙ୍କ ପାଇଁ ମଧ୍ୟ ବୋର୍ଡ ଏକ ମାନବୀୟ ନିଷ୍ପତ୍ତି ଗ୍ରହଣ କରିଛି। ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଦୈନିକ ୨୦୦ ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଏହା ବ୍ୟତୀତ ୬୦ ବର୍ଷ ବୟସରେ ଅବସର ନେଉଥିବା DLR କର୍ମଚାରୀମାନେ ଏବେ ଗ୍ରାଚ୍ୟୁଇଟି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ, ଯାହା ସେମାନଙ୍କୁ ଅବସର ପରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବ। 
    ମନ୍ତ୍ରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ଯେ, ଅବିରତ ଜଳ ଯୋଗାଣ ସୁନିଶ୍ଚିତ କରୁଥିବା ଏହି କର୍ମଚାରୀମାନେ ଉପଯୁକ୍ତ ସାମାଜିକ ସୁରକ୍ଷା ପାଇବା ନିହାତି ଆବଶ୍ୟକ।

    ପ୍ରଶାସନିକ ଓ ଆର୍ଥିକ ସ୍ଵାୟତ୍ତତା କ୍ଷେତ୍ରରେ ମଧ୍ୟ ବୈଠକରେ ବଡ଼ ପରିବର୍ତ୍ତନ କରାଯାଇଛି। ବୋର୍ଡ ଏଣିକି ନିଜସ୍ୱ ଉତ୍ସରୁ ଆଦାୟ ହେଉଥିବା ରାଜସ୍ୱକୁ ନିଜର ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାରେ ବ୍ୟବହାର କରିପାରିବ, ଯାହାଦ୍ୱାରା ପ୍ରକଳ୍ପଗୁଡ଼ିକ ଅଧିକ ନମନୀୟତା ଓ କ୍ଷିପ୍ରତା ସହିତ ଶେଷ ହୋଇପାରିବ। ଶାସନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ OWSSB ର ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କୁ ବୋର୍ଡର ସଦସ୍ୟ ସଚିବ ଦାୟିତ୍ୱ ଦିଆଯାଇଛି। ଜଟିଳ ବୈଷୟିକ ଏବଂ ଆଇନଗତ ସମସ୍ୟାର ସମାଧାନ ପାଇଁ ସାଧାରଣ ପ୍ରଶାସନ, ଅର୍ଥ ଏବଂ ନଗର ଉନ୍ନୟନ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଏକ ସ୍ଥାୟୀ ସବ୍-କମିଟି ଗଠନ କରାଯାଇଛି। 

     ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ସଂସ୍କାରଗୁଡ଼ିକୁ ସ୍ୱାଗତ କରିବା ସହ ଏହା ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ ଉତ୍ତରଦାୟୀ କରିବ ବୋଲି କହିଛନ୍ତି। 

    ଏହି ବୈଠକରେ ୱାଟକୋ (WATCO) ର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook