Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିବାହର ଚତୁର୍ଥ ଦିନରେ ନବବଧୂ ଫେରାର

    Share on :
    ajab-Image
    Date: Jul 11, 2026    Views: 2618

    ବୈଶିଙ୍ଗା: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍ ପାର୍ଟି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଚତୁର୍ଥ ଦିନରେ ନବବଧୂ ଜଣକ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି।

    ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ମହେଶପୁର ଗ୍ରାମର ଘନଶ୍ୟାମ ଜେନାଙ୍କ ପୁଅ ମଧୁସୂଦନ ଜେନା ବୈଦିକ ରୀତିନୀତି ଅନୁଯାୟୀ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବୁଆଁଳ ଗ୍ରାମର ପ୍ରଭାକର ଜେନାଙ୍କ ଝିଅ ସୁସ୍ମିତା ଜେନାଙ୍କୁ ବିବାହ କରିଥିଲେ। ବିବାହ ପରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସରିଥିଲା ଏବଂ ଶୁକ୍ରବାର ଦିନ ରିସେପସନ୍ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା।

    ତେବେ ଗୁରୁବାର ରାତିରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଥିଲା। ସୁସ୍ମିତାଙ୍କ ସହିତ ଆସିଥିବା ତାଙ୍କ ଭାଇଙ୍କ ସହଯୋଗରେ ବୁଆଁଳ ଅଞ୍ଚଳର ଦୁଇ ଯୁବକ ଏକ ଧଳା ରଙ୍ଗର ଆର୍ଟିଗା କାର୍‌ରେ ଆସି ସୁସ୍ମିତାଙ୍କୁ ନେଇ ପଳାଇ ଯାଇଥିବା ବର ପକ୍ଷ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯିବା ସମୟରେ ସୁସ୍ମିତା ନିଜ ସହିତ ୮୦ ହଜାର ଟଙ୍କା ନଗଦ ସମେତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ମଧ୍ୟ ନେଇଯାଇଛନ୍ତି।

    ଏହି ସମ୍ପର୍କରେ ବର ପରିବାର ପକ୍ଷରୁ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

    ଖବର ଲେଖା ହେବା ସୁଦ୍ଧା ଏହି ମାମଲାରେ କୌଣସି ଆନୁଷ୍ଠାନିକ କେସ୍ ରୁଜୁ ହୋଇନାହିଁ। ଘଟଣାର ଏକ ନ୍ୟାୟୋଚିତ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଚବିଶ ଘଣ୍ଟାର ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ସମାଧାନ ନ ହୁଏ, ତେବେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ବାରିଣୀ ଦାସଙ୍କ ସୂତ୍ରରୁ ପ୍ରକାଶ ପାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook