ମୁଖ୍ୟ ଖବର
କୋଲକାତା: ପଶ୍ଚିମବଙ୍ଗ ପୁଲିସକୁ ଗୁରୁବାର ବଡ଼ ସଫଳତା ମିଳିଛି । କୋଲକାତା ପୁଲିସ ଏସ୍ଟିଏଫ୍ ସିପିଆଇ ମାଓବାଦୀର ଜଣେ ବଡ଼ ନେତାଙ୍କୁ ଗିରଫ କରିଛି । ସେ ହେଉଛନ୍ତି ଅସୀମ ମଣ୍ଡଳ ଓରଫ ଆକାଶ । ସେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ । ପଶ୍ଚିମବଙ୍ଗ ରାଜ୍ୟ କମିଟି-୧ର ବି ସମ୍ପାଦକ । ଅସୀମ ମଣ୍ଡଳଙ୍କ ମୁଣ୍ଡରେ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ରହିଥିଲା ।
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅନ୍ତର୍ଗତ ପଟାଶପୁର ଅଞ୍ଚଳରୁ ଅସୀମଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୁଲିସକୁ ପ୍ରଶଂସା କରିଛନ୍ତି । ପୁଲିସ ମୁତାବକ, ଅସୀମ ଦୀର୍ଘବର୍ଷ ହେଲା ଫେରାର ଥିଲେ । ପ୍ରାୟ ୧୫ ବର୍ଷ ହେଲା ବିଭିନ୍ନ ରାଜ୍ୟର ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ପୁଲିସ ଏବେ ତାଙ୍କୁ ପଚରାଉଚରା କରୁଛି । ତାଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟ ମାଓନେତା ଏବଂ ନେଟୱର୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ।
ସୂତ୍ର ଅନୁସାରେ, ମାଓନେତା ଅସୀମ ୧୮ ବର୍ଷ ପରେ ଶ୍ୱଶୁର ଘର ବୁଲି ଆସିଥିଲେ । ରାତିରେ ପରିବାର ସହ ଭୋଜନ କରିଥିଲେ । ଏହାପରେ କିଛି ସମୟ କଥାବାର୍ତ୍ତା କରି ଶୋଇଯାଇଥିଲେ । କିନ୍ତୁ ସକାଳ ହେବା ବେଳକୁ ଚିତ୍ର ବଦଳି ଯାଇଥିଲା । ଭୋର ସମୟରେ ଏସ୍ଟିଏଫ୍ ଟିମ୍ ପହଞ୍ଚି ଘରକୁ ଚାରିପଟୁ ଘେରିଯାଇଥିଲା । ଏହାପରେ ଅସୀମଙ୍କୁ ଗିରଫ କରି ନେଇଯାଇଥିଲା । ପଟାଶପୁର ଥାନା ନୈପୁର ପଞ୍ଚାୟତର ମଣିନାଥପୁରରେ ଏହି ଗିରଫଦାରି ହୋଇଛି । ଅସୀମଙ୍କ ନିଜ ଘର ପଶ୍ଚିମ ମେଦିନୀପୁର ଜିଲ୍ଲା ଚନ୍ଦ୍ରକୋନା ଥାନା ଅଞ୍ଚଳରେ ।
Comments ସମସ୍ତ ମତାମତ