ମୁଖ୍ୟ ଖବର
ତେଲଙ୍ଗାନା: ତେଲଙ୍ଗାନାରେ ଆତ୍ମସମର୍ପଣ କଲେ୨୦ ଜଣ ନକ୍ସଲ । ଏହି ନକ୍ସଲମାନେ କୋମାରାମ ଭିମ ଅସିଫାବାଦ ଜିଲ୍ଲା ପୁଲିସ ନିକଟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ମାଓ କମାଣ୍ଡର ଥିପ୍ପିରି ତିରୁପତି ଓରଫ ଦେବୁଜୀ ଏବଂ ମାଲା ରଜି ରେଡ୍ଡି ଓରଫ ସଂଗ୍ରାମ । ୬୦ ବର୍ଷୀୟ ଦେବୁଜୀ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ସମ୍ପାଦକ ଭାବେ କାର୍ୟ୍ୟ କରୁଥିଲେ । ତାଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା । ଜଗତିଆଲ ଜିଲ୍ଲା ବାସିନ୍ଦା ଦେବୁଜୀ ଅଶୀ ଦଶକରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ ।
ପ୍ରଥମେ ସେ ପିଡବ୍ଲ୍ୟୁଜି ଗୋଷ୍ଠୀରେ ଯୋଗଦେବା ପରେ ୨୦୦୪ରେ ମାଓବାଦୀ ହୋଇଥିଲେ । ମାଓ ସଙ୍ଗଠନର ସଶସ୍ତ୍ର ଶାଖା ସେଣ୍ଟ୍ରାଲ ମିଲିଟାରୀ କମିଶନ୍ର ସେ ନେତୃତ୍ୱ ମଧ୍ୟ ନେଇଥିଲେ । ପରିବାର ଲୋକେ ଓ ଶୁଭ ଚିନ୍ତକମାନେ ତାଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିବା ଲାଗି ପ୍ରୋତ୍ସାହିତ କରିଥିଲେ । ଦେବୁଜୀଙ୍କ ଆତ୍ମସମର୍ପଣ ମାଓ ସଙ୍ଗଠନକୁ ଶକ୍ତ ଝଟ୍କା ବୋଲି କୁହାଯାଉଛି ।
ସେହିଭଳି ୭୬ ବର୍ଷୀୟ ସଂଗ୍ରାମ ସେଣ୍ଟ୍ରାଲ କମିଟି ତଥା ପଲିଟବ୍ୟୁରୋ ସଦସ୍ୟ ଥିଲେ । ତେଲଙ୍ଗାନା ପୁଲିସ ଡିଜି ବି. ଶିବଧର ରେଡ୍ଡୀ ନିକଟରେ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ଲାଗି ଅପିଲ କରିଥିଲେ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
Comments ସମସ୍ତ ମତାମତ