ମୁଖ୍ୟ ଖବର
ଭୁବନେଶ୍ୱର: ସାରା ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ । କେଉଁଠି ମଣ୍ଡି ଖୋଲୁନି ତ କେଉଁଠି ଚାଷୀ ମଣ୍ଡି ଆଗରେ ଧାନ ଗଦାଇ ରଖିଛନ୍ତି । ମଣ୍ଡି ଖୋଲୁ ନଥିବାରୁ ବେପାରୀମାନେ ଗାଁ ଗାଁରେ ପଶି ଧାନ ଉଠାଉଛନ୍ତି । ଏପରି ସ୍ଥିତିକୁ ଦେଖି ଗତ ଡିସେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଧାନକିଣା ପ୍ରକ୍ରିୟାର ସମୀକ୍ଷା କରିଥିଲେ । ଜାନୁଆରି ୧୦ ସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଧାନକିଣା ଆରମ୍ଭ କରିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ, ଜାନୁଆରି ୧୦ କଣ୍ଟ ପୂରିଥିଲେ ବି ସବୁ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇପାରିଲାନି କି ମଣ୍ଡି ଖୋଲିଲାନି ।
ଯୋଗାଣ ବିଭାଗ, ସମବାୟ ବିଭାଗର ଅଧିକାରୀମାନେ ଖୋଲାଖୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାଏଁବାଏଁ ଉଡ଼ାଇଦେଲେ । ଯେଉଁଥି ପାଇଁ ଖରିଫ ଋତୁରେ ରାଜ୍ୟ ସରକାର ୭୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏବେ ସୁଦ୍ଧା ୧୭.୮୫ ଲକ୍ଷ ମେଟ୍ରିକ୍ ଟନ୍ ଧାନକିଣା ହୋଇଛି। ଯାହା ମୋଟ୍ ଟାର୍ଗେଟ୍ର ୨୪.୪୫% । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ରାଜ୍ୟ ସରକାର ଖରିଫ ଧାନ କିଣିବାକୁ ଟାର୍ଗେଟ୍ ରଖିଥିବାବେଳେ ଏବେ ବି ଏକ ଚତୁର୍ଥାଂଶ ଧାନ କିଣି ପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ଧାନକିଣା ପ୍ରକ୍ରିୟାର ସମୀକ୍ଷା କରିବା ଦିନ ୧୭ଟି ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ହେଉଥିଲା ।
ଏହାପରେ ୧୮ଦିନ ବିତିଯାଇଥିଲେ ବି ଆଉ ମାତ୍ର ୫ଟି ଜିଲ୍ଲାରେ ଅର୍ଥାତ୍ ଆଜି ସୁଦ୍ଧା ୨୨ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି । ଏବେବି ୮ଟି ଜିଲ୍ଲା ଯଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଯାଜପୁର, ନୟାଗଡ଼, ଭଦ୍ରକ, ଢେଙ୍କାନାଳରେ ଧାନକିଣା ଆରମ୍ଭ ହୋଇପାରିଲାନି । ଏଥିରୁ ୫ଟି ଉପକୂଳ ଜିଲ୍ଲାରେ ଅଧିକ ଜଳସେଚିତ ଜମି ଥିବାବେଳେ ବହୁତ ଧାନ ଅମଳ ହୋଇଥାଏ । କେତେକ ଚାଷୀ ଧାନ ଅମଳ କରି ଖଳାରେ ପକାଇଛନ୍ତି, ନଚେତ ବେପାରୀ ଡାକି ଧାନ ବିକୁଛନ୍ତି। ହେଲେ ସରକାର ମଣ୍ଡି ଖୋଲିବା ନେଇ ପଦକ୍ଷେପ ନେଉନାହାନ୍ତି।
Comments ସମସ୍ତ ମତାମତ