Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଙ୍କଟ

    Share on :
    ajab-Image
    Date: May 6, 2026    Views: 2222

    କୋଲକାତା,: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ବିଧାନସଭା ନିର୍ବାଚନରେ ପରାଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବାକୁ ରୋକଠୋକ ମନା କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ଏକ ବଡ଼ ବୟାନ ଦେଇଛନ୍ତି । ନିର୍ବାଚନରେ ପରାଜୟ ସତ୍ତ୍ୱେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଘୋଷଣା କରିବା ପରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି । ମଙ୍ଗଳବାର କୋଲକାତାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ମମତା ସ୍ପଷ୍ଟ କରିଛନ୍ତି ଯେ, ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବାର ପ୍ରଶ୍ନ ଉଠୁନାହିଁ ।

    ଏହି ଜଟିଳ ସ୍ଥିତି ଉପରେ ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯଦି ମମତା ବାନାର୍ଜୀ ଜନାଦେଶକୁ ସମ୍ମାନ ନଦେଇ ଜବରଦସ୍ତି ପଦବୀରେ ରହିବାକୁ ଚାହାନ୍ତି, ତେବେ ତାଙ୍କୁ ସେଠାରୁ ବାହାର କରିଦେବା ଉଚିତ୍ । ଜେଠମାଲାନୀଙ୍କ ଅନୁଯାୟୀ, "ଯଦି ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ମର୍ଯ୍ୟାଦା ଉଲ୍ଲଂଘନ କରନ୍ତି, ତେବେ ରାଜ୍ୟପାଳଙ୍କ ପାଖରେ ସମସ୍ତ କ୍ଷମତା ରହିଛି । ସେ ପୁଲିସ ଫୋର୍ସ ପଠାଇ ମମତାଙ୍କୁ ପଦରୁ ହଟାଇ ପାରିବେ ।"

    ଅପରପକ୍ଷରେ, ମମତା ବାନାର୍ଜୀ ନିଜ ଜିଦ୍ରେ ଅଟଳ ଅଛନ୍ତି । ସେ କହିଛନ୍ତି ଯେ, ଏହି ନିର୍ବାଚନରେ ନୈତିକ ଭାବେ ତାଙ୍କର ହିଁ ବିଜୟ ହୋଇଛି । ସେ ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି ତାଙ୍କର ପ୍ରତିଯୋଗିତା ବିଜେପି ସହ ନୁହେଁ, ବରଂ ନିର୍ବାଚନ କମିଶନଙ୍କ ସହ ଥିଲା । ନିର୍ବାଚନ କମିଶନ ବିଜେପିର ଏଜେଣ୍ଟ ଭାବେ କାମ କରିଛନ୍ତି । ସେ ଆଉ ବିଜେପିର ଅତ୍ୟାଚାର ସହିବେ ନାହିଁ ଏବଂ ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ।
    ଆଇନ ବିଶେଷଜ୍ଞଙ୍କ ମତରେ, ବଙ୍ଗଳା ବିଧାନସଭାର ୫ ବର୍ଷିଆ କାର୍ଯ୍ୟକାଳ ଆସନ୍ତାକାଲି ଅର୍ଥାତ୍ ମେ ୭ ୨୦୨୬ରେ ଶେଷ ହେଉଛି । ଯଦି ମମତା ଇସ୍ତଫା ନଦିଅନ୍ତି, ତେବେ ନିର୍ବାଚନ କମିଶନ ଗେଜେଟ୍ ନୋଟିଫିକେସନ ଜାରି କରିସାରିଥିବାରୁ, ରାଜ୍ୟପାଳଙ୍କ ପାଖରେ ସରକାରଙ୍କୁ ବରଖାସ୍ତ କରିବାର ସାମ୍ବିଧାନିକ କ୍ଷମତା ରହିଛି । କାର୍ଯ୍ୟକାଳ ଶେଷ ହେବା ମାତ୍ରେ ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିପାରିବେ । ନିର୍ବାଚନ ଫଳାଫଳ ଆସିବା ପରେ ପୁରୁଣା ସରକାରଙ୍କ ପାଖରେ ଶାସନ କରିବାର କୌଣସି ବୈଧ ଅଧିକାର ରହେନାହିଁ । ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟ ପଶ୍ଚିମବଙ୍ଗକୁ ଏକ ବଡ଼ ପ୍ରଶାସନିକ ଏବଂ ଆଇନଗତ ଲଢ଼େଇ ଆଡ଼କୁ ଠେଲି ଦେଇଛି । ରାଜ୍ୟପାଳ ଏବେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସାରା ଦେଶର ନଜର ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook