Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟ ବୈଷୟିକ ଟାସ୍କଫୋର୍ସର ଓଡ଼ିଶାରେ ମ୍ୟାଲେରିଆ ସ୍ଥିତିର ସମୀକ୍ଷା ବୈଠକ

    Share on :
    ajab-Image
    Date: Aug 30, 2026    Views: 2880

    ଭୁବନେଶ୍ୱର: ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ଭେକ୍ଟରଜନିତ ରୋଗର ନିୟନ୍ତ୍ରଣ ସମ୍ପର୍କିତ ରାଜ୍ୟ ବୈଷୟିକ ଟାସ୍କଫୋର୍ସର ଏକ ବୈଠକ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଅଶ୍ଵତୀ ଏସ.ଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବର୍ତ୍ତମାନ ମ୍ୟାଲେରିଆ ସ୍ଥିତିର ସମୀକ୍ଷା କରାଯିବା ସହ ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ଭେକ୍ଟରଜନିତ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

    ଅତିରିକ୍ତ ନିର୍ଦ୍ଦେଶକ(ଭେକ୍ଟରଜନିତ ରୋଗ) ଡ଼. ଶୁଭାଶିଷ ମହାନ୍ତି ବୈଠକରେ ରାଜ୍ୟରେ ବର୍ତ୍ତମାନ ମ୍ୟାଲେରିଆ ସ୍ଥିତି, କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଚ୍ୟାଲେଞ୍ଜଗୁଡିକ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ । ବୈଠକରେ ମ୍ୟାଲେରିଆ ଆକ୍ରାନ୍ତ, ଜିଲ୍ଲାୱାରୀ ସ୍ଥିତି ଏବଂ ଅଧିକ ମ୍ୟାଲେରିଆ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିରୀକ୍ଷଣ ଓ ତ୍ୱରିତ ପ୍ରତିକ୍ରିୟାକୁ ଅଧିକ ଦୃଢ଼ କରିବାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।

    ମ୍ୟାଲେରିଆ ମାମଲା ସଂଖ୍ୟା ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତ କରି ସମସ୍ତ ବ୍ଲକରେ କ୍ଷେତ୍ରସ୍ତରୀୟ ସମୀକ୍ଷା କରିବ । ଏହି ଟିମ୍ ମ୍ୟାଲେରିଆ ସ୍ଥିତିର ଆକଳନ, କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନରେ ଥିବା ଅଭାବ ଚିହ୍ନଟ କରିବା ସହ ମ୍ୟାଲେରିଆ ପ୍ରତିରୋଧ, ନିରୀକ୍ଷଣ, ନିଦାନ, ଚିକିତ୍ସା ଓ ତ୍ୱରିତ ପ୍ରତିକ୍ରିୟାକୁ ସୁଦୃଢ଼ କରିବା ପାଇଁ ବ୍ଲକୱାରୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ। ପରବର୍ତ୍ତୀ ସମୟରେ ଏହାର ବିସ୍ତୃତ ରିପୋର୍ଟ ସ୍ୱାସ୍ଥ୍ୟ ସଚିବଙ୍କ ନିକଟରେ ଦାଖଲ କରାଯିବ।

    ମ୍ୟାଲେରିଆ କାର୍ଯ୍ୟକ୍ରମର ରୂପାୟନ ଓ ନିରୀକ୍ଷଣରେ ସମ୍ପୃକ୍ତ ସମସ୍ତ ସହଯୋଗୀ ସଂସ୍ଥା ଓ ଏଜେନ୍ସି ରାଜ୍ୟ ଅନୁମୋଦିତ ଏକୀକୃତ ମନିଟରିଂ ଫର୍ମାଟ୍ ବ୍ୟବହାର କରିବେ। ଏହା ଦ୍ୱାରା ବିଭିନ୍ନ ଜିଲ୍ଲାରେ ନିରୀକ୍ଷଣ, ରିପୋର୍ଟିଂ ଏବଂ ପରବର୍ତ୍ତୀ ପଦକ୍ଷେପରେ ସମନ୍ୱୟ ଓ ସମାନତା ନିଶ୍ଚିତ ହୋଇପାରିବ।

    ଜନଜାତି ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମ୍ୟାଲେରିଆରୁ ସୁରକ୍ଷା ନିମନ୍ତେ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ। ମ୍ୟାଲେରିଆ ପ୍ରବଣ ଏବଂ ସୀମାନ୍ତ ଅଞ୍ଚଳରେ ଥିବା ଜନଜାତି ଆବାସିକ ବିଦ୍ୟାଳୟଗୁଡ଼ିକରେ ପ୍ରତିରୋଧମୂଳକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମ୍ୟାଲେରିଆର ଶୀଘ୍ର ନିଦାନ ଓ ସମୟୋପଯୋଗୀ ଚିକିତ୍ସା ସୁନିଶ୍ଚିତ କରିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବାକୁ ଗୁରୁତ୍ବ ଦିଆଯାଇଛି ।

    ବର୍ତ୍ତମାନର ସ୍ଥିତି ଓ କାର୍ଯ୍ୟକ୍ରମ ରୂପାୟନରେ ଦେଖାଦେଉଥିବା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରରେ ଏକ ବୈଷୟିକ ଦଳ ଗଠନ କରାଯିବ। ଏଥିରେ ଭୁବନେଶ୍ୱର ଆରଏମଆରସି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସିନିୟର ରିଜିଓନାଲ ଡାଇରେକ୍ଟରଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟର ବୈଷୟିକ ବିଶେଷଜ୍ଞ ସାମିଲ ହେବେ।

    ଏହି ବୈଷୟିକ ଦଳ ରାଜ୍ୟରେ ପ୍ରଚଳିତ ମ୍ୟାଲେରିଆ ନିର୍ଦ୍ଦେଶାବଳୀ ଓ କାର୍ଯ୍ୟକ୍ରମର ସମୀକ୍ଷା କରିବ। ସେହିପରି, ବର୍ତ୍ତମାନର ରୋଗ ସ୍ଥିତି ଓ କାର୍ଯ୍ୟକ୍ରମ ରୂପାୟନରେ ଥିବା ସମସ୍ୟାକୁ ଆଧାର କରି ପ୍ରମାଣଭିତ୍ତିକ ପଦକ୍ଷେପ ଏବଂ ଅଧିକ ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳରେ ତ୍ୱରିତ ପ୍ରତିକ୍ରିୟା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବ।

    ବୈଠକରେ ମ୍ୟାଲେରିଆ ମାମଲା ଓ ମୃତ୍ୟୁ ରୋକିବା ସହ ଓଡ଼ିଶାର ମ୍ୟାଲେରିଆ ନିରାକରଣ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟ ସହଯୋଗୀ ବିଭାଗମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଟାସ୍କଫୋର୍ସ ଗୁରୁତ୍ୱାରୋପ କରିଛି।

    ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଡ଼ ବୃନ୍ଦା ଡ଼ି , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook