ଏହା ସହିତ ମକର ସଂକ୍ରାନ୍ତିରେ ମଧ୍ୟ ମକର ଗୁଡି ଉଡାଇବା ଏକ ସୁନ୍ଦର ପରମ୍ପରା । ଏହି ଦିନ ମକର ଗୁଡି ଉଡାଯାଏ । ମକର ଗୁଡିର ଅନେକ ବିଶେଷତ୍ୱ ଓ ସ୍ୱତନ୍ତ୍ରତା ରହିଛି । ମକର ଗୁଡି ମନୁଷ୍ୟର ଚିନ୍ତା ଚେତନାକୁ ଉଦ୍ଧ୍ୱର୍ଗମୀ କରି, ମନୁଷ୍ୟର ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଏକ ସାଙ୍କେତିକ ବାର୍ତ୍ତା ଦେଇଥାଏ । କାରଣ ଯେତେବେଳେ ମନୁଷ୍ୟର ସଂସାର ଜଞ୍ଜାଳରେ ତା’ର ମନ, ପ୍ରାଣ, ହୃଦୟ, ଚିନ୍ତା, ଚେତନା ନିମ୍ନଗାମୀ ହୋଇଯାଏ ।
ସେ ସମୟରେ ମନୁଷ୍ୟ ପରଂବ୍ରହ୍ମ, ପରମେଶ୍ୱରଙ୍କୁ ଧ୍ୟାନ କରି ଚିନ୍ତା, ଚେତନାକୁ ଉଦ୍ଧ୍ୱର୍ଗାମୀ କରେ, ସେତେବେଳେ ତା’ର ମନ ଗୁଡି ପରି ଆକାଶରେ ଉଡି ଉଡି ଯାଏ। ମୁକ୍ତ ଆକାଶରେ ମୁକ୍ତ ବିହଙ୍ଗମ ପରି ଯେତେବେଳେ ସେ ଉଡିଉଡି ଯାଏ, ସେତେବେଳେ ତା’ର ସମସ୍ତ ପ୍ରାକାର ଇଶ୍ୱରୀୟ ସତ୍ତାକୁ ସେ ଅନୁଭବ କରିଥାଏ । ଇଶ୍ୱରୀୟ ମହାସତ୍ତାର ଉପଲବ୍ଧିରେ ହୃଦୟ, ତା’ର ମନ, ପ୍ରାଣ, ସବୁକିଛି ମୁକ୍ତ ହୋଇଯାଏ । ଗତି ମୁକ୍ତି ମୋଖ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ମକର ସଂକ୍ରାନ୍ତି ଭଳି ଏକ ପବିତ୍ର ଦିନରେ, ସାଙ୍କେତିକ ଭାବେରେ ମକର ଗୁଡି ଉଡାଇବାର ଅର୍ଥ ହେଉଛି, ନିଜର ଭାବନାକୁ ଓ ଚିନ୍ତନକୁ ଉଦ୍ଧ୍ୱର୍ଗାମୀ କରି ସଂସାର ଜଞ୍ଜାଳ ଭିତରେ ରହି ମଧ୍ୟ ଗୁଡି ପରି ନିଜର ଚିନ୍ତନକୁ ଉଡାଇ ପରଂବ୍ରହ୍ମ ପରମେଶ୍ୱର ପରମାତ୍ମାଙ୍କ ସହିତ ନିଜକୁ ଏକାକାର କରିବା ଓ ତାଙ୍କ ଚରଣରେ ନିଜକୁ ସମର୍ପଣ କରି, ନିଜ ଜୀବନର ଜଞ୍ଜାଳ, କର୍ତ୍ତବ୍ୟକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ।
Comments ସମସ୍ତ ମତାମତ