ମୁଖ୍ୟ ଖବର
ଭୁବନେଶ୍ୱର:ଖୁବ ଶୀଘ୍ର ମହାନଦୀ ଜଳବିବାଦ ସମାଧାନ ହେବ । ୨ ଦିନଆ ଓଡ଼ିଶା ଗସ୍ତରେ ଆସି ଏହି ବଡ଼ ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ମହାନଦୀକୁ ନେଇ କୌଣସି ପ୍ରକାର ଜଳ ବିବାଦ ନାହିଁ । ଦିଲ୍ଲୀରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇ ସାରିଛି । ନିଷ୍ପତ୍ତି ପାଇଁ ଉଭୟ ରାଜ୍ୟ CWCକୁ ସହମତି ଜଣାଇ ସାରିଛନ୍ତି । CWC ଯାହା ନିଷ୍ପତ୍ତି ନେବ ତାକୁ ଉଭୟ ରାଜ୍ୟ ମାନିବୁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା ତାର ସମାଧାନ ହେଉଛି । ଓଡ଼ିଶାରେ ବିଜେପି, ଛତିଶଗଡ଼ରେ ବିଜେପି, କେନ୍ଦ୍ରରେ ଏନ୍ଡିଏ ସରକାର ଅଛି । ତେଣୁ ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବାକୁ ଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି ବିଷ୍ଣୁଦେବ ସାଏ ।
ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଛନ୍ତି ଟ୍ରିପଲ ଇଂଜିନ ସରକାର ମହାନଦୀ ସମସ୍ୟାର ଖୁବଶୀଘ୍ର ସମାଧାନ କରିବେ। ମହାନଦୀ ସମସ୍ୟା ଯାହାଥିଲା ସେ ବିଷୟରେ ଦୁଇ ସରକାର ଏବଂ ସିଡବ୍ଲୁସି ସହିତ ମଧ୍ୟ ଆଲୋଚନା କରିଛୁ । ଖୁବଶୀଘ୍ର ମହାନଦୀ ସମସ୍ୟାର ସମଧାନ ହେବ। ଟ୍ରିପଲ ଇଂଜିନ ସରକାର ମହାନଦୀ ସମସ୍ୟାର ସମାଧାନ କରିବେ। ବିରୋଧୀ ଦଳ ତାଙ୍କ କାମ କରିବେ। ମହାନଦୀ ଜଳ ସମସ୍ୟା ପୂର୍ବ ସରକାରର ଭୁଲ। ଆମ ସରକାର ଆସିବା ପରେ ଚର୍ଚ୍ଚା ଆଲୋଚନା ହୋଇଛି ଖୁବଶୀଘ୍ର ସମସ୍ୟାର ସମାଧାନ କରିବୁ ।
ଅନ୍ୟପକ୍ଷରେ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି। ଏଥିରେ ମହାନଦୀକୁ ନେଇ କିଛି ଅଫିସିଆଲ ଆଲୋଚନା ହେବ କି ? ଆଜି ସରକାର ହେବାର ଅଢେଇ ବର୍ଷରୁ ଅଧିକ ହେଲାଣି। ମହାନଦୀକୁ ନେଇ ସରକାର କେତେ ପାଦ ଆଗେଇଛନ୍ତି ତାହା କହିବେକି ?
ପ୍ରକୃତ କଥା ହେଲା ଏହାର ସମାଧାନ ପାଇଁ ଆନ୍ତରିକତାର ଅଭାବ ରହିଛି। ବର୍ତ୍ତମାନ ମଧ୍ୟ ଛତିଶଗଡ଼ ଆହୁରି ବ୍ୟାରେଜ ନିର୍ମାଣ କରୁଛନ୍ତି। କାମ ବନ୍ଦ କରୁ ନାହଁନ୍ତି। ତେଣୁ ଏଥିରେ ଜଣା ପଡୁଛି ସରକାର ଛତିଶଗଡ଼କୁ ଭୟ କରୁଛନ୍ତି। ଆମର ଗୋଟିଏ କଥା ରାଜ୍ୟର ସ୍ୱାର୍ଥ ସାଧାନ ହେଉ। ଉଭୟ ରାଜ୍ୟ ଭିତରେ ସତରେ କ'ଣ ଆପୋଷ ଆଲୋଚନା ଚାଲିଛି କି ? କ'ଣ ଆଲୋଚନା ହୋଇଛି ତାହା ସାର୍ବଜନୀନ ହେଉ ? କେନ୍ଦ୍ର ସରକାର ସବୁବେଳେ ରାଜ୍ୟ ପାଇଁ ପାତର ଅନ୍ତର ନୀତି କରୁଛନ୍ତି ।
Comments ସମସ୍ତ ମତାମତ