Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଲପିଜି ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ:ମନ୍ତ୍ରୀ

    Share on :
    ajab-Image
    Date: Mar 13, 2026    Views: 2446

    ନୂଆଦିଲ୍ଲୀ: ଦେଶରେ ରନ୍ଧନ ଗ୍ୟାସ (ଏଲପିଜି)ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ପର୍ୟ୍ୟନ୍ତ କୌଣସି ପ୍ରକାର ଇନ୍ଧନର ଅଭାବ ନାହିଁ ବୋଲି ପଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦୃଢ ଆଶ୍ବାସନା ଦେଇଛନ୍ତି। ଗୁରୁବାର ସଂସଦକୁ ସମ୍ବୋଧନ କରି ମନ୍ତ୍ରୀ ପୁରୀ କହିଛନ୍ତି ଯେ ଦେଶର ଶକ୍ତି ​‌େ​‌ଯାଗାଣ ପ୍ରକ୍ରିୟା ସୁରକ୍ଷିତ ଅଛି। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ରହିବା ପରେ ଭାରତ ଅନ୍ୟ ସୁରକ୍ଷିତ ମାର୍ଗ ଦେଇ ଅଶୋଧିତ ତୈଳ ଆମଦାନୀ କରୁଛି। ଭାରତ ୪୦ଟି ରାଷ୍ଟ୍ରରୁ ଅଶୋଧିତ ତୈଳ ଆମଦାନୀ କରୁଛି। ତେଣୁ ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ଏହି ତୈଳ ଆମଦାନୀକୁ ବିଶେଷ ପ୍ରଭାବିତ କରୁ ନାହିଁ। ଭାରତ ପାଖରେ ଏବେ ପର୍ୟ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ୍ ଅଛି। ତେଣୁ ଇନ୍ଧନ ଆବଶ୍ୟକତା ପାଇଁ କୌଣସି ପ୍ରକାର ଆତଙ୍କିତ ହେବା ଉଚିତ୍ ନୁହେଁ। ଦେଶରେ ରନ୍ଧନ ଗ୍ୟାସ ଭଳି ଇନ୍ଧନର ଅଭାବ ଦେଖାଯାଇଥିବା ନେଇ ମିଥ୍ୟା ପ୍ରଚାର କରାଯାଉଛି। ଏପରି ମିଥ୍ୟା ଖବର ପ୍ରତି କୌଣସି ପ୍ରକାର ଧ୍ୟାନ ନ ଦେବାକୁ ସେ ଜନସାଧାରଣଙ୍କୁ କହିଛନ୍ତି।

    ପ୍ରତ୍ୟେକ ରାଜ୍ୟରେ ଏବେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ସ୍ବାଭାବିକ ରହିଛି। ସେହିପରି ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ଆମଦାନୀକୁ ସ୍ବାଭାବିକ କରିବା ଲାଗି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଇରାନ ପ୍ରତିପକ୍ଷ ଆବାସ ଆରାଗଚିଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ବୁଧବାର ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଥିଲା ଯେ ରନ୍ଧନ ଗ୍ୟାସ (ଏଲ୍‌ପିଜ) ଅଭାବ ପୂରଣ କରିବା ଲାଗି ଘରୋଇ ଏଲ୍‌ପିଜି ଉତ୍ପାଦନକୁ ୨୫% ବୃଦ୍ଧି କରାଯାଇଛି। ଏହା ସହିତ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣକୁ ବନ୍ଦ କରି ଘରୋଇ ଯୋଗାଣକୁ ତ୍ବରାନ୍ବିତ କରିବାକୁ ମନ୍ତ୍ରଣାଳୟ ତୈଳ ଉତ୍ପାଦନକାରୀ କମ୍ପାନୀଗୁଡିକୁ ନିର୍ଦେଶ ଦେଇଛି। ଏପରି କି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଘରୋଇ ଆବେଦନକାରୀଙ୍କୁ ଅଢେଇ ଦିନ ମଧ୍ୟରେ ଯୋଗାଇ ଦିଆଯିବାକୁ ନିର୍ଦେଶ ଦିଆଯାଇଛି।
    ଅନ୍ୟପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶରେ ଶକ୍ତି ସଂକଟ ଗୁଜବକୁ ଆଧାର କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଦେଶବାସୀଙ୍କ ଶକ୍ତି ସୁରକ୍ଷା ସହିତ ସାଲିସ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ହର୍ମୁଜ୍ ପ୍ରଣାଳୀ ବନ୍ଦ ଯୋଗୁଁ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ବଡ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ବୋଲି ରାହୁଲ କହିଛନ୍ତି। ଏପରି ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଏହାର ସମାଧାନ କରିବାକୁ ସେ ସରକାରଙ୍କୁ କହିଛନ୍ତି। ସରକାର ବିଦେଶ ନୀତିରେ ତ୍ରୁଟି କାରଣରୁ ବିଦେଶରୁ ତୈଳ ଆମଦାନୀ ସ୍ବାଭାବିକ ହୋଇପାରୁ ନାହିଁ। ଦେଶରେ ଇନ୍ଧନର ସଂକଟ ଦେଖାଯିବା ପୂର୍ବରୁ ସରକାର ମଧ୍ୟପ୍ରାଚ୍ୟକୁ ବାଦ୍ ଦେଇ ଅନ୍ୟ ରାଷ୍ଟ୍ରରୁ ଇନ୍ଧନ ଆମଦାନୀ ବ୍ୟବସ୍ଥା କରିବା ଦରକାର। ନଚେତ୍ ଆଗାମୀ ଦିନରେ ଦେଶରେ ଇନ୍ଧନର ଘୋର ଅଭାବ ଦେଖାଯିବ ବୋଲି ସତର୍କ କରାଇଛନ୍ତି। ଲୋକସଭାରେ ଇନ୍ଧନ ଯୋଗାଣ ସମସ୍ୟ ସମ୍ପର୍କିତ ଆଲୋଚନା ବେଳେ ମନ୍ତ୍ରୀ ପୁରୀ ଓ ରାହୁଲ ମୁହାଁମୁହିଁ ହୋଇଥିଲେ। ରାହୁଲ କହିଥିଲେ ଯେ ଆମେ (ଭାରତ) କାହା ଠାରୁ ତୈଳ କିଣିବ ତା’ର ନିଷ୍ପତ୍ତି ଏବେ ଆମେରିକା ଉପରେ ଛାଡି ଦିଆଯାଇଛି। ଆମେ ରୁଷ୍‌ ଠାରୁ ତୈଳ କିଣିବୁ କି ନାହିଁ ତା’ର ନିଷ୍ପତ୍ତି ଆମେରିକା ନେଉଛି। ବିଭିନ୍ନ ତୈଳ ଯୋଗାଣକାରୀ ରାଷ୍ଟ୍ରଙ୍କ ସହିତ ଆମର ସମ୍ପର୍କ କିପରି ହେବ ତା’ର ନିଷ୍ପତ୍ତି ଆମେ ନିଜେ ନେବା ଉଚିତ୍ ବୋଲି ରାହୁଲ କହିଥିଲେ। ରାହୁଲ କହିଥିଲେ ଯେ ଏପଷ୍ଟିନ୍ ଫାଇଲ ପ୍ରଘଟ ଭୟରେ ଭାରତ ସରକାର ଦେଶର ତୈଳ ଆମଦାନୀ ନିଷ୍ପତ୍ତି କ୍ଷେତ୍ରରେ ସାଲିସ୍ କରିବାକୁ ବାଧ୍ୟ ହୋଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook