ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଆ ଭାଷାର ବ୍ୟବହାର ପାଇଁ ବିଭାଗରେ ଦେଖିବାକୁ ମିଳିଛି ତତ୍ପରତା । ସରକାରଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ବିଭିନ୍ନ ବିଭାଗ ଇଂରାଜୀରେ ଚିଠି କରୁଥିଲେ । ସରକାରଙ୍କ ନିଷ୍ପତ୍ତିକୁ ମାନୁନଥିଲେ। ଏସବୁ ଭିତରେ ନିର୍ମାଣ ବିଭାଗ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପାଦ ଆଗକୁ ବଢାଇଛି । ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିବା ନେଇ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ସବୁ ସରକାରୀ କାର୍ୟ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଆଦି ଓଡ଼ିଆରେ କରିବା ପାଇଁ ନିର୍ମାଣ ବିଭାଗର ପ୍ରମୁଖ ସଚିବ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ମାଣ ବିଭାଗର ଏହି ସମୀକ୍ଷା ବୈଠକରେ ଖାଲିଥିବା ପଦ ପୂରଣ ଏବଂ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ପାଇଁ ଗୁରୁତ୍ବ ଦିଆଯାଇଛି । ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ୟ୍ୟ ଶେଷ କରିବା ନେଇ ଆଲୋଚନା ହୋଇଥିବା ବେଳେ ଅନ୍ଲାଇନ୍ ମାଧ୍ୟମରେ ସରକାରୀ କାର୍ୟ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡିଆରେ ହେବ ସରକାରୀ କାମ । ନାମ ଫଳକ ମଧ୍ୟ ଓଡିଆରେ ଲେଖା ହେବ । ଓଡିଆ ଅସ୍ମିତାର ନାରା ଦେଇ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଉଭୟ ସରକାରୀ ଓ ବେସରକାରୀ ନାମ ଫଳକରେ କିଛିଟା ପରିବର୍ତ୍ତନ ଘଟିଛି । ତେବେ ଏଯାଏଁ ସରକାରୀ କାର୍ୟ୍ୟ କିମ୍ବା ସରକାରୀ ଚିଠି ପତ୍ର ସମ୍ପୂର୍ଣ୍ଣ ଭାବେ ଓଡିଆରେ ଆଦାନ ପ୍ରଦାନ ସମ୍ଭବ ହୋଇପାରିନାହିଁ । ବ୍ରିଟିଶ ଅମଳରୁ ପ୍ରଚଳିତ ଓଡ଼ିଆ ପ୍ରାଶାସନିକ ଶବ୍ଦକୋଷ କିମ୍ବା ବିଭିନ୍ନ ସରକାରୀ ଆଇନ୍ କାନୁନର ବହି ଗୁଡିକ ଓଡିଆରେ ଅନୁବାଦ କରାଯିବାର ଆବଶ୍ୟକତା ରହିଛି ବୋଲି ଓଡିଆ ଭାଷାପ୍ରେମୀ ମାନେ ମତ ଦେଇଛନ୍ତି।
Comments ସମସ୍ତ ମତାମତ