ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହେଲା ୩ କୃଷି ଆଇନ୍ ଉଚ୍ଛେଦ ବିଲ୍ । ବାଚନିକ ଭୋଟରେ ବିଲ୍ ପାରିତ ନେଇ ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି । ଏଥିସହ ଗୃହକୁ ମଧ୍ୟାହ୍ଣ ୨ଟା ଯାଏଁ ସ୍ଥଗିତ ରଖାଯାଇଛି ।
ପ୍ରବଳ ହଙ୍ଗମା ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ବିଲ୍ ପାସ୍ କରିଥିଲେ । ତେବେ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ଏହି କୃଷି ଆଇନ୍ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ । ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ-ହଲ୍ଲା କରିଥିଲେ । ଫଳରେ ଗୃହ ଅଚଳ ହୋଇଯାଇଥିଲା । ଏପରିକି ଗାନ୍ଧିମୂର୍ତ୍ତି ତଳେ ସମସ୍ତ ବିରୋଧୀ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନାଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପର୍ବ ଦିନ ତିନି କୃଷି ଆଇନ୍ ପ୍ରତ୍ୟାହର ନେଇ ଘୋଷଣା କରିଥିଲେ । ଏଥିସହ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଥିଲେ । କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ । ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ ।
Comments ସମସ୍ତ ମତାମତ