Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାହିତ୍ୟ ହେଉଛି ସମାଜର ଦର୍ପଣ, ଓଡ଼ିଆ କବିତାରେ ଦେଶଭକ୍ତି ଓ ଭାଷାପ୍ରୀତି ପ୍ରତିଫଳିତ

    Share on :
    ajab-Image
    Date: Jul 23, 2026    Views: 2761

    ଭୁବନେଶ୍ୱର : ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ "ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା" ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।

    ଆଜିର କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମିର ସଚିବ ଶ୍ରୀ ବରୁଣ ଗୁଲାଟି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ବିଶିଷ୍ଟ ଲେଖିକା ଶକୁନ୍ତଳା ବଳିଆରସିଂହ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଶ୍ରୀ ଗୌରହରି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

    ସାହିତ୍ୟ ହେଉଛି ସମାଜର ଦର୍ପଣ। ସମାଜର ସାମ୍ପ୍ରତିକ ସ୍ଥିତି ସାହିତ୍ୟ ମାଧ୍ୟମରେ ପ୍ରକାଶିତ ହୋଇଥାଏ। ଦେଶରେ ସ୍ୱାଧୀନତା ଆନ୍ଦୋଳନ ସମୟ ଠାରୁ ଆରମ୍ଭ କରି ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ଅନେକ ଲେଖକ ଓ ଲେଖିକାମାନେ ନିଜ ସାହିତ୍ୟ ସର୍ଜନାରେ ଜାତୀୟତାବାଦୀ ଚେତନାକୁ ପ୍ରସ୍ଫୁଟିତ କରିଛନ୍ତି। ବିଶେଷ କରି ଓଡ଼ିଆ ସାହିତ୍ୟ ଜଗତରେ ବହୁ ସାହିତ୍ୟିକମାନେ ନିଜର କବିତା ମାଧ୍ୟମରେ ନିଜର ଦେଶପ୍ରୀତିକୁ ପରିପ୍ରକାଶ କରିଛନ୍ତି। ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟା ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ଦାସ, ଗଙ୍ଗାଧର ମେହର, ନନ୍ଦକିଶୋର ବଳ, କୁନ୍ତଳାକୁମାରୀ ସାବତଙ୍କ ସମେତ ଅନେକ କବି ନିଜର କବିତାରେ ମାତୃଭୂମି ପ୍ରୀତି, ଭାଷାପ୍ରୀତି ଓ ଜାତୀୟ ଚେତନାର ଯଥାର୍ଥ ପରିଚୟ ପ୍ରଦାନ କରିଛନ୍ତି। ଓଡ଼ିଆ ସାହିତ୍ୟ ଜଗତର କାଳଜୟୀ ରଚନାରେ ପ୍ରତିଫଳିତ ହୋଇଥିବା ଦେଶ ପ୍ରେମ ଓ ଜାତୀୟ ଚେତନା ଆଗାମୀ ଦିନରେ ଯୁବ ସାହିତ୍ୟିକମାନଙ୍କୁ ନିଶ୍ଚିତ ଭାବେ ପ୍ରେରିତ କରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। 

    "ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା" ଶୀର୍ଷକକୁ ନେଇ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ ସ୍ୱତନ୍ତ୍ର ଅଧିବେଶନରେ ଶ୍ରୀ ବାସୁଦେବ ଦାସ, ଶ୍ରୀ ଅରୁଣ କୁମାର ସାହୁ, ଶ୍ରୀ ବିଶ୍ଵରଂଜନ ଦାସ, ଶ୍ରୀ ନାରାୟଣ ପଣ୍ଡା, ପ୍ରଫେସର ଉଦୟନାଥ ସାହୁ, ଡକ୍ଟର ରମେଶ ଚନ୍ଦ୍ର ବେହେରା, ଶ୍ରୀ ରଞ୍ଜିତ ପରିଡ଼ାଙ୍କ ସମେତ ଅନେକ ସାହିତ୍ୟିକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook