ମୁଖ୍ୟ ଖବର
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୩ବର୍ଷିଆ ନୂଆ ଅବକାରୀ ନୀତି ଲାଗୁ ହେବା ସହ ମଦ ଦୋକାନଗୁଡ଼ିକର ପୁନଃ ଆବଂଟନ କରାଯିବ। ମଦ ଦୋକାନର ଲଟେରୀ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ସରକାର ଅନଲାଇନ୍ ଲଟେରୀ ଉପରେ ଗୁରୁତ୍ୱ ଦେବେ। ଏପ୍ରିଲ ମାସରେ ଏହି ଲଟେରୀ ପ୍ରକ୍ରିୟା ସମ୍ପନ୍ନ କରାଯିବ ବୋଲି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଚଳିତ ମାର୍ଚ୍ଚ ୩୧ ତାରିଖରେ ମଦ ଦୋକାନଗୁଡ଼ିକର ପାଂଚ ବର୍ଷିଆ ଲାଇସେନ୍ସ ଅବଧି ଶେଷ ହେଉଛି। ତେଣୁ ଆସନ୍ତା ଏପ୍ରିଲ ମାସରୁ ମଦ ଦୋକାନ ଆବଂଟନ ପାଇଁ ଲଟେରୀ ପ୍ରକ୍ରିୟା କରାଯିବ। ପୂର୍ବରୁ ପଲିସି ଏନଫୋର୍ସମେଂଟ ଓ ବିଭିନ୍ନ ପ୍ରକ୍ରିୟାଗତ କାରଣରୁ ଏଥିରେ କିଛିଟା ବିଳମ୍ବ ହୋଇଥିଲେ ମଧ୍ୟ ଏବେ ଏହାକୁ ତ୍ୱରାନ୍ୱିତ କରାଯାଉଛି। ଏପ୍ରିଲ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଓ ତାଙ୍କ ଟିମ୍ ଏହାର ନିୟମିତ ସମୀକ୍ଷା କରୁଛନ୍ତି।ସେ କହିଛନ୍ତି ଯେ, ଏହି ସମଗ୍ର ଲଟେରୀ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ପାରଦର୍ଶିତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ନିଲାମ ପ୍ରକ୍ରିୟା ବନ୍ଦ ରହିବ ଓ କେବଳ ଲଟେରୀ ମାଧ୍ୟମରେ ହିଁ ମଦ ଦୋକାନଗୁଡ଼ିକର ଆବଂଟନ କରାଯିବ।ବିଶେଷକରି କୌଣସି ପ୍ରକାର ଅନିୟମିତତାକୁ ରୋକିବା ପାଇଁ ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଲେକ୍ଟ୍ରୋନିକ ଲଟେରୀ ବ୍ୟବସ୍ଥା ଗ୍ରହଣ କରାଯିବ। ସରକାର ମଧ୍ୟ ଅନଲାଇନ ଲଟେରୀ ବ୍ୟବସ୍ଥା ବିଷୟରେ ଚିନ୍ତା କରୁଛନ୍ତି। ଯାହାଫଳରେ ପ୍ରକୃତ ଉପଭୋକ୍ତା ବା ଆବେଦନକାରୀ ଏହାର ସୁଯୋଗ ପାଇପାରିବେ ଓ ଆବଂଟନରେ ପାରଦର୍ଶିତା ମଧ୍ୟ ରହିପାରିବ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ନୂଆ ଅବକାରୀ ନୀତିରେ ସମସ୍ତ ପ୍ରକାରର ନୂଆ ଅଫ୍ ସପ୍ କିମ୍ବା ଅନ୍ ସପ୍ ଖୋଲିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। କୌଣସି ପ୍ରକାର ସବ୍-କାଉଂଟର ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ। କେବଳ ଥ୍ରୀ-ଷ୍ଟାର ଓ ଫାଇଭ-ଷ୍ଟାର ହୋଟେଲ ବାର୍ ପାଇଁ କିଛି ସ୍ୱତନ୍ତ୍ର ପ୍ରାବଧାନ ରଖାଯାଇଛି। ମଦ ଦୋକାନଗୁଡ଼ିକର ପୂର୍ବ ବର୍ଷଗୁଡ଼ିକର ରାଜସ୍ୱ ଆଦାୟକୁ ଆଧାର କରି ମାସିକ ସର୍ବନିମ୍ନ ଗ୍ୟାରେଣ୍ଟି ରାଜସ୍ୱ ବା ଏମଜିଆରକୁ ସ୍ଥିର କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗୁରୁବାର ନୂଆ ଅବକାରୀ ନୀତି ଘୋଷଣା କରିଛନ୍ତି। ଯାହାକି ଏପ୍ରିଲ ୧ରୁ କାର୍ୟ୍ୟକ୍ଷମ ହେବ। ଏହି ନୂଆ ଅବକାରୀ ନୀତି ୨୦୨୯ ମାର୍ଚ୍ଚ ୩୧ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ, ଏଥିରେ ସମସ୍ତ ପ୍ରକାରର ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ସହ ପୁରୀ ବଡ଼ଦାଣ୍ଡରେ ମଦ ବିକ୍ରି ଉପରେ ମଧ୍ୟ କଟକଣା ରହିଛି। ତେବେ ସହରାଂଚଳରେ ୪ହଜାର ବର୍ଗଫୁଟ ପରିମିତ ଅଂଚଳରେ ନୂଆ ‘ସୁପର ପ୍ରିମିୟମ ବିଦେଶୀ ଠିପି ବନ୍ଦ’ ମଦ ଦୋକାନ ଖୋଲାଯାଇପାରିବ।
Comments ସମସ୍ତ ମତାମତ