ମୁଖ୍ୟ ଖବର
ଭୁବନେଶ୍ୱର: ବିଜୁ ଜନତା ଦଳକୁ ଡବଲ ଝଟକା। ବିଜେଡି ଛାଡ଼ିଲେ ଦୁଇ ବରିଷ୍ଠ ନେତା। ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲ୍ବିହାରୀ ହିମିରିକା ଇସ୍ତଫା ଦେଇଛନ୍ତି। ଉଭୟ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଛାଡ଼ିଥିବା ନେଇ ଘୋଷଣା କରିଛନ୍ତି। ନିଜ ସମର୍ଥକଙ୍କ ଆଲୋଚନା ପରେ ଇସ୍ତଫା ଦେଇଛନ୍ତି ଦୁଇ ନେତା। ବିଜେଡ଼ିର ବରିଷ୍ଠ ନେତା ଓ ଦୃଢ ସଂଗଠକଙ୍କ ମଧ୍ୟରେ ଏନ୍.ଭାସ୍କର ଜଣେ । ଯେଉଁଥି ପାଇଁ ଦଳ ତାଙ୍କୁ ୨୦୧୬ ମସିହାରେ ରାଜ୍ୟସଭା ସାଂସଦ ପାଇଁ ମନୋନୀତ କରିଥିଲା । ଏହାପରେ ସେ ୨୦୧୬ ରୁ ୨୦୨୨ ଯାଏ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ହେଲେ ଏବେ ବିଜେଡିକୁ ବାଏ ବାଏ କହିଛନ୍ତି ଏନ୍ ଭାସ୍କର ରାଓ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏନ୍ ଭାସ୍କର ରାଓ ।
ସେହିପରି ବିଜେଡିର ଆଉ ଜଣେ ବରିଷ୍ଠ ନେତା ଲାଲ ବିହାରୀ ହିମିରିକା ମଧ୍ୟ ଦଳ ଛାଡ଼ିଛନ୍ତି । ଏନେଇ ଉଭୟ ନେତା ଦଳ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଉଭୟ ନେତା ଦଳ ଛାଡ଼ିବା ପରେ ବିଜୁ ସ୍ୱାଭିମାନ ମଞ୍ଚ ନାଁରେ ଏକ ନୂଆ ଦଳ ଗଢ଼ିଛନ୍ତି ।
ପ୍ରକାଶ ଯେ ଦଳ ଭିତରେ ସବୁ କିଛି ଠିକ୍ଠାକ୍ ନଥିବାର ଏକାଧିକ ଘଟଣା ସାମ୍ନାକୁ ଆସିଲାଣି। ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ବରିଷ୍ଠ ନେତ୍ରୀ ଶ୍ରମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ‘ଧୃତରାଷ୍ଟ୍ର’ ଉପାଖ୍ୟାନ କହି ହଟଚମଟ ସୃଷ୍ଟି କରିଛନ୍ତି। ତେଣେ ମହାଭାରତର ‘ଶ୍ରୀକୃଷ୍ଣ’ ପ୍ରସଙ୍ଗକୁ ଲେଖି ଏହାର ପ୍ରତିବାଦ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ। ଏହା ବିଜେଡି ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି ବୋଲି କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଘଟଣାକୁ ବିଜେଡିର ସାଧାରଣ କର୍ମୀମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି।ଯେଉଁଠି ବିଜେଡି ଶାସନ କ୍ଷମତାରେ ଥିବା ବେଳେ କେହି କାହାରି ବିରୁଦ୍ଧରେ ମୁହଁ ଖୋଲିବାର ଦୁଃସାହସ କରିପାରୁନଥିଲେ, ଏବେ କ୍ଷମତା ଯିବା ପରେ କେହି କାହାକୁ ମାନୁନଥିବା ଦୃଷ୍ଟିଗୋଚର ହେଉଛି। ଏଇ କିଛି ମାସ ଭିତରେ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ସାମନ୍ତରାୟ, ଭୂପିନ୍ଦର ସିଂହ, ଶଶୀଭୂଷଣ ବେହେରା ଓ ଅରୁଣ ସାହୁଙ୍କ ଭଳି ଦଳର ବରିଷ୍ଠ ନେତାମାନଙ୍କ ଟିପ୍ପଣୀ ଅନେକ ସମୟରେ ବିଜେଡିକୁ ଅଡ଼ୁଆରେ ପକାଇଛି।
Comments ସମସ୍ତ ମତାମତ