ମୁଖ୍ୟ ଖବର
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମଙ୍ଗଳବାର ସେ ତାମିଲନାଡୁ ନିର୍ବାଚନ ପାଇଁ କରୁଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆତଙ୍କବାଦୀ ଶବ୍ଦ ପ୍ରୟୋଗ କରିଥିଲେ। ଯଦିଓ ସେ ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲେ କିନ୍ତୁ ଏହି ବୟାନ ବିରୋଧରେ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ବିଜେପିର ଅଭିଯୋଗକୁ ଆଧାର କରି ଭାରତୀୟ ନିର୍ବାଚନ କମିଶନ ଆଜି ଖଡଗେଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଖଡଗେଙ୍କୁ ନୋଟିସ ଉପରେ ଜବାବ ରଖିବାକୁ ନିର୍ବାଚନ କମିଶନ କହିଥିବା ଜଣାପଡ଼ିଛି। ଏଆଇଏଡିଏମକେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବିଜେପିକୁ ସାଥୀ ଭାବେ ବାଛି ଥିବାରୁ ଏହା ଉପରେ ଖଡଗେ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ସେ ଆତଙ୍କବାଦୀ ଶବ୍ଦର ବ୍ୟବହାର କରିଥିଲେ।
ସେ କହିଥିଲେ, “ଏହି ଏଆଇଏଡିଏମକେ ଲୋକମାନେ ନିଜେ ଆନ୍ନାଦୁରାଇଙ୍କ ଫଟୋ ବ୍ୟବହାର କରୁଥିବା ବେଳେ କେମିତି ସେମାନେ ମୋଦିଙ୍କ ସହ ହାତ ମିଳାଇଲେ? ସେ ଜଣେ ଆତଙ୍କବାଦୀ। ତାଙ୍କ ଦଳ କେବେ ହେଲେ ବି ସମାନତା ଓ ନ୍ୟାୟରେ ବିଶ୍ୱାସ କରେନାହିଁ।ଏଆଇଏଡିଏମକେ ସେଭଳି ଲୋକଙ୍କ ସହ ହାତ ମିଳାଇଛି। ଏହାର ଅର୍ଥ ସେମାନେ ମଧ୍ୟ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି।” ସମାନ ସାମ୍ବାଦିକ ସମ୍ମିଳନୀରେ ଖଡଗେଙ୍କୁ ଜଣେ ସାମ୍ବାଦିକ ଆତଙ୍କବାଦୀ ଶବ୍ଦ ବ୍ୟବହାରର ପ୍ରାସଙ୍ଗିକତା ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ସେ ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ, “ମୋଦି ସାଧାରଣ ଲୋକ ଓ ରାଜନୀତିକ ଦଳକୁ ଆତଙ୍କିତ କରୁଛନ୍ତି।ମୁଁ କେବେ ହେଲେ ସେ ଜଣେ ଆତଙ୍କବାଦୀ କହି ନାହିଁ। ମୋର କହିବାର ଅର୍ଥ ଥିଲା ଯେ ମୋଦି ସବୁବେଳେ ଧମକାଉଛନ୍ତି। ଇଡି, ଆଇଟି ଓ ସିବିଆଇ ଭଳି ପ୍ରତିଷ୍ଠାନ ତାଙ୍କ ହାତରେ ରହିଛି। ସେ ସୀମା ପୁନଃ ନିର୍ଦ୍ଧାରଣ ମଧ୍ୟ ନିଜ ହାତକୁ ନେବାକୁ ଚାହୁଁଛନ୍ତି। ଏହି ପ୍ରସଙ୍ଗରେ ମୁଁ କହିଛି ଯେ ସେ ରାଜନୀତିକ ଦଳ ଓ ଲୋକଙ୍କୁ ଆତଙ୍କିତ କରୁଛନ୍ତି। ମୁଁ କେବେ ହେଲେ ସେ ଜଣେ ଆତଙ୍କବାଦୀ ବୋଲି କହିନି।” ତଥାପି ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ନେତୃତ୍ୱରେ ବିଜେପିର ଗୋଟିଏ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ସେମାନେ ଖଡଗେଙ୍କ ବୟାନକୁ ନେଇ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଥିଲେ।
Comments ସମସ୍ତ ମତାମତ