Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    କମ୍ପୁଛି କର୍ଣ୍ଣାଟକ ନିର୍ବାଚନ ପ୍ରଚାର

    Share on :
    ajab-Image
    Date: May 1, 2023    Views: 4448

    ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟଦାନ ଦିବସ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଗୁଡ଼ିକର ପ୍ରଚାର ସେତିକି ମାତ୍ରାରେ ବଢ଼ୁଛି। ଏଥିଯୋଗୁ ସାରା ରାଜ୍ୟ ପ୍ରଚାରରେ କମ୍ପୁଛି। ବିଜେପି ଓ କଂଗ୍ରେସର ତାରକା ପ୍ରଚାରକମାନେ ଧୂଆଁଧାର ପ୍ରଚାର ଜାରି ରଖିଥିବା ବେଳେ ଜେଡିଏସ୍‌ ମଧ୍ୟ କର ବା ମର ସ୍ଥିତିରେ ପ୍ରଚାର ଚଳାଇଛି। ଦୁଇଦିନିଆ ପ୍ରଚାର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଭୟ କଂଗ୍ରେସ ଏବଂ ଜେଡିଏସ୍‌ ଉପରେ ଭୀଷଣ ବର୍ଷିଛନ୍ତି।

    ପ୍ରଧାନମନ୍ତ୍ରୀ କହିଛନ୍ତି, କର୍ଣ୍ଣାଟକର କଂଗ୍ରେସ ଶାଖା ଦିଲ୍ଲୀର ଗୋଟିଏ ପରିବାର ପାଇଁ ଦିନରାତି କାମ କରୁଛି। ପ୍ରତ୍ୟେକ ନିଷ୍ପତ୍ତି ପାଇଁ ସେମାନଙ୍କୁ ଦିଲ୍ଲୀର ସେହି ନିର୍ଦ୍ଦିଷ୍ଟ ପରିବାରଠାରୁ ସବୁଜ ସ‌ଂକେତ ଆଣିବାକୁ ପଡ଼ୁଛି। ଜେଡିଏସ ମଧ୍ୟ ସେହିଭଳି ଗୋଟିଏ ପରିବାରର ପ୍ରାଇଭେଟ ଲିମିଟେଡ ପାର୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଭୟ କଂଗ୍ରେସ ଏବଂ ଜେଡିଏସ୍ କର୍ଣ୍ଣାଟକରେ ବିକାଶ କାର୍ଯ୍ୟରେ ବାଧକ ସାଜିଛନ୍ତି। ଲୋକମାନେ ସେମାନଙ୍କୁ କ୍ଲିନ ବୋଲ୍ଡ କରିଛନ୍ତି। କଂଗ୍ରେସ ଏବଂ ଜେଡିଏସର ଦୁର୍ନୀତିଗ୍ରସ୍ତ ସରକାରଠାରୁ ଆମକୁ ଲୋକଙ୍କୁ ସୁରକ୍ଷା ଦେବାକୁ ହେବ ବୋଲି କୋଲାରଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି। ୮୫ ପ୍ରତିଶତ କମିସନ ନେବାର ଖ୍ୟାତି କଂଗ୍ରେସର ରହିଛି। ଲୋକଙ୍କର ବିଶ୍ବାସ ସେମାନଙ୍କ ଉପରେ ନାହିଁ। କଂଗ୍ରେସ ସବୁବେଳେ ତୁଷ୍ଟୀକରଣ ରାଜନୀତି କରିଆସିଛି। ବିଜେପି ତୁଷ୍ଟୀକରଣ ପାଇଁ ନୁହେଁ, ଲୋକଙ୍କ ସନ୍ତୋଷ ପାଇଁ ଅଛି। କଂଗ୍ରେସ ସର୍ବଦା ଦୁର୍ନୀତିରେ ବଢ଼ିଛି। କେବଳ ବିଜେପି ଦୁର୍ନୀତି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥାଏ। ମୁଁ ଦୁର୍ନୀତି ବିରୋଧରେ ଲଢ଼ୁଥିବାରୁ କଂଗ୍ରେସ ମୋତେ ଘୃଣା କରୁଛି। ସେମାନେ ମୋତେ ଧମକ ଦେଉଛନ୍ତି ଏବଂ ଦୁର୍ବ୍ୟବହାର କରୁଛନ୍ତି। ଚଳିତ ନିର୍ବାଚନରେ ‘ବିଷଧର ସାପ’ ପ୍ରସଙ୍ଗ କଂଗ୍ରେସ ଉଠାଇଛି। ସେମାନେ ମୋତେ ସାପ ସହ ତୁଳନା କରିଛନ୍ତି। ସାପ ଭଗବାନ ମହାଦେବଙ୍କର ଗଳାର ଶୋଭା ମଧ୍ୟ ବଢ଼ାଇଥାଏ ଏବଂ କର୍ଣ୍ଣାଟକ ଜନତା ମୋ ପାଇଁ ମହାଦେବ ଶିବ ବୋଲି ମୋଦୀ କହିଛନ୍ତି।

    ଟନାଠାରେ ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜେଡିଏସକୁ ଭୋଟ ଦେଲେ ତାହା କଂଗ୍ରେସର ସଂଖ୍ୟା ବଢ଼ାଇବ। କଂଗ୍ରେସ ଏବଂ ଜେଡିଏସ ଗୋଟିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନେ ଉଭୟ ବଂଶବାଦ ଦଳ। ଭାରତର ଅଭିବୃଦ୍ଧିର ଇଞ୍ଜିନ ହେଉଛି କର୍ଣ୍ଣାଟକ। ତେଣୁ ଏଠାରେ ଅସ୍ଥିର ସରକାର ଭଲ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ବିଜେପି ସରକାରର ଦୁର୍ନୀତିକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଛି। ରାଜ୍ୟରେ ଚାଲିଥିବା ୪୦ ପ୍ରତିଶତ କମିସନ ସରକାରର ଅନ୍ତ ଘଟାଇବାକୁ ଲୋକେ ପ୍ରସ୍ତୁତ ଅଛନ୍ତି ଏବଂ ବିଜେପି ୫୦ରୁ ଅଧିକ ଆସନ ଟପିବ ନାହିଁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୪୦ ପ୍ରତିଶତ କମିସନ ବାବଦରେ ମୁହଁ ଖୋଲୁନାହାନ୍ତି କାହିଁକି ? ଡବଲ୍‌ ଇଂଜିନ କଥା କହି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଇପାରିବେ ନାହିଁ ବୋଲି ରମେଶ କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆଜି ବିଭିନ୍ନ ଜନସଭାରେ ଉଦ୍‌ବୋଧନ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

    Maximum 500 characters

    karnatak election View all

    Find Us on Facebook