Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    କର୍ଣ୍ଣାଟକ ନିର୍ବାଚନ: ଚାଲିଛି ହାଇ ଭୋଲଟେଜ୍‌ ପ୍ରଚାର

    Share on :
    ajab-Image
    Date: Apr 25, 2023    Views: 3698

    ବେଙ୍ଗାଲୁରୁ : ମେ’ ୧୦ ତାରିଖ ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଏବେ ହାଇ ଭୋଲଟେଜ୍‌ ପ୍ରଚାର ଚାଲିଛି । ବିଜେପି, କଂଗ୍ରେସ, ଜେଡିଏସର ପ୍ରମୁଖ ନେତାମାନେ ରାଜ୍ୟରେ ଜୋରଦାର ପ୍ରଚାର ଚଳାଇବା ସହ ପରସ୍ପର ଉପରେ ବର୍ଷିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ପୃଥକ୍‌ ସ୍ଥାନରେ ରାଲି ଏବଂ ରୋଡ୍‌ ସୋ’ କରିଛନ୍ତି । ରାହୁଲ ଗାନ୍ଧିଙ୍କ ‘୪୦ ପ୍ରତିଶତ କମିସନ୍‌ ବିଜେପି ସରକାର’ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଶାହ କହିଛନ୍ତି, କଂଗ୍ରେସର ଏହି ଅଭିଯୋଗ ଉପରେ କୌଣସି ମାମଲା ନାହିଁ କି ତଦନ୍ତ ନାହିଁ ତେଣୁ ଲୋକମାନେ କିଭଳି ଏମିତି ଭିତ୍ତିହୀନ ଅଭିଯୋଗରେ ବିଶ୍ୱାସ କରିବେ । ଯଦି ସେମାନଙ୍କ ନିକଟରେ ବଳିଷ୍ଠ ପ୍ରମାଣ ଅଛି ତେବେ ସେମାନେ କୋର୍ଟ ଯାଆନ୍ତୁ । ଶାହ ହାସନ ଜିଲ୍ଲାରେ ଏକ ରୋଡ୍‌ ସୋ’ କରି କହିଛନ୍ତି, କଂଗ୍ରେସ ଜାତିବାଦୀ ବିଚାରଧାରା ନେଇ ରାଜନୀତି କରୁଛି । କିନ୍ତୁ ବିଜେପି ସବୁ ବର୍ଗଙ୍କୁ ନେଇ ଚାଲିଛି  । ପୂର୍ଣ୍ଣ ସଂଖ୍ୟାଗିଷ୍ଠତା ସହ ବିଜେପି କର୍ଣ୍ଣାଟକରେ ସରକାର ଗଠନ କରିବ ବୋଲି ଶାହ ଦୃଢେ଼ାକ୍ତି ବାଢ଼ିଛନ୍ତି ।

    ରାହୁଲ କିନ୍ତୁ ରାମଦୁର୍ଗ ଅଞ୍ଚଳର ବେଲଗଭିରେ ଆଖୁ ଚାଷୀଙ୍କୁ ଉଦ୍‌ବୋଧନ ଦେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ସରକାର ଅଣଦେଖା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ଏବଂ ଏନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି, ଏବେ ଜଣେ କିମ୍ବା ୨ ଜଣ ଶିଳ୍ପପତିଙ୍କ ଉପରେ ଫୋକସ୍‌ ରହିଛି । ଆଦାନି ଏବଂ ଅମ୍ବାନି ଏବେ ବ୍ୟାଙ୍କ ଋଣରେ କୋଟି କୋଟି ଟଙ୍କା ପାଉଛନ୍ତି ଏବଂ ସେମାନେ ବ୍ୟାଙ୍କକୁ ଗଲେ ସହଜରେ ଋଣ ପାଉଛନ୍ତି । ଅତି ସହଜରେ ସେମାନଙ୍କ ଋଣଛାଡ କରାଯାଉଛି କିନ୍ତୁ ଚାଷୀଙ୍କ ଋଣଛାଡ କରାଯାଉନି । ତେଣୁ ମୁଁ ସମାନତା କଥା କହୁଛି । ଯଦି ଆପଣ ବଡ ଶିଳ୍ପପତିଙ୍କ ଋଣଛାଡ କରୁଛନ୍ତି ତେବେ କୃଷକଙ୍କର ମଧ୍ୟ ଋଣଛାଡ କରନ୍ତୁ । ରାହୁଲ କହିଛନ୍ତି, କେନ୍ଦ୍ର ସରକାର କେବଳ ଅଳ୍ପ କିଛି ଲୋକଙ୍କ ପାଇଁ ଜିଏସଟି ଆରମ୍ଭ କରିଛନ୍ତି । ଏହା ଏତେ ଜଟିଳ ଯେ ଅନେକ ଲୋକ ଜିଏସଟି କ’ଣ ବୁଝନ୍ତିନି । କ୍ଷୁଦ୍ର ବ୍ୟବସାୟ ଗୁଡିକ ବନ୍ଦ ହୋଇଗଲା । ଆମେ ଦିଲ୍ଲୀରେ କ୍ଷମତାକୁ ଆସିଲେ ଏହି ଜିଏସଟି ପରିବର୍ତ୍ତନ କରିଦେବୁ ।

    ଅନ୍ୟପକ୍ଷେ ଜେଡିଏସ୍‌ ସୁପ୍ରିମୋ ଦେବଗୌଡା ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପୁଅ କୁମାରସ୍ୱାମୀଙ୍କ ଅସୁସ୍ଥତା ପାଇଁ ଦେବଗୌଡା ଏବେ ୮୯ ବର୍ଷ ବୟସରେ ନିର୍ବାଚନ ପ୍ରଚାର କରୁଛନ୍ତି । ଦେବଗୌଡା ଆଜି ତୁମକୁରୁ ଜିଲ୍ଲାରେ ପ୍ରଚାର କରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବଗୌଡ ପ୍ରଚାର କାର୍ଯ୍ୟକ୍ରମ କରିଥିବାବେଳେ ତାଙ୍କ ସହ କିଛି ମେଡିକାଲ ଏକ୍ସପର୍ଟ ମଧ୍ୟ ଅଛନ୍ତି । ତାଙ୍କ ଦଳ ସରକାରକୁ ଆସିଲେ ମୁସଲିମଙ୍କ ପାଇଁ ବିଜେପି ସରକାର ପ୍ରତ୍ୟାହାର କରି ନେଇଥିବା ସଂରକ୍ଷଣକୁ ପ୍ରତ୍ୟାହାର କରିବେ ବୋଲି ସେ କହିଛନ୍ତି । ମହିଳା ସଂରକ୍ଷଣ ପ୍ରସଙ୍ଗରେ ସେ ମୋଦୀ ସରକାରକୁ ସମାଲୋଚନା କରିଛନ୍ତି । ଏ ନେଇ ମୋଦୀ ସରକାର କ’ଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ ନିକଟରେ ଏକ ନିର୍ବାଚନ ର‍୍ୟାଲିରେ ଦେବଗୌଡାଙ୍କୁ ହ୍ୱିଲଚେୟାରରେ ଅଣାଯାଇଥିଲା ।

     

    Maximum 500 characters

    karnatak election View all

    Find Us on Facebook